ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଆଡଭାଇଜରି; କାର୍ଯ୍ୟକ୍ଷମ ହେବ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ଭୁବନେଶ୍ୱର : ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମୟରେ ସ୍ୱାସ୍ଥ୍ୟ ସମସ୍ୟାର କିଭଳି ମୁକାବିଲା କରାଯାଇପାରିବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଡଭାଇଜରି ଜାରି କରିଛନ୍ତି।
ମୌସୁମୀ ପରବର୍ତ୍ତୀ ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକତ୍ସାଳୟ, ଜିଲାପାଳ ତଥା ପୌର ପ୍ରଶାସନକୁ ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବାତ୍ୟା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।
ବନ୍ୟା ସମ୍ବନ୍ଧୀୟ ରୋଗ, ଜଳ ବିଶୋଧନକାରୀ ଟାବଲେଟ୍, ବିଭିନ୍ନ ସ୍ତରରେ ଡାକ୍ତରଖାନାରେ ସାପକାମୁଡା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି। ବ୍ଲିଚିଂ ପାଉଡର, କ୍ଲୋରାଇନ୍ ଟାବଲେଟ୍, ଚୂନ ପାଉଡରର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ନିଶ୍ଚିତ କରାଯିବ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଜୋର୍ ଦିଆଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପିଏଚସି, ସିଏଚସି, ଡିଏଚଏଚ ଏବଂ ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ ପାୱାର୍ ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ବିପର୍ଯ୍ୟୟ, ରୋଗଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସହିତ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସେଠାରେ ଏକ କାର୍ଯ୍ୟ ଯୋଜନା ସହିତ ପର୍ଯ୍ୟାପ୍ତ ପ୍ରସ୍ତୁତି ହେବା ଆବଶ୍ୟକ। କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ରାଜ୍ୟ ରାପିଡ୍ ରେସପନ୍ସ ଦଳ -ଆରଆରଟି ପ୍ରସ୍ତୁତ । ୨୪x୭ କଣ୍ଟ୍ରୋଲ୍ ରୁମ୍ ଆଇଡିଏସପି ୟୁନିଟରେ କାର୍ଯ୍ୟ କରିବ । ଅତିରିକ୍ତ ମାନବ ସମ୍ବଳ ସଂଗ୍ରହ ସହ ଗୁଜବ ଉପରେ ନଜର ରଖାଯିବ । ଜିଲା ସ୍ତରରେ ଜିଲା ଏବଂ ବ୍ଲକ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ । ଜିଲା ତଥା ଆର ଆରଟି ଦଳ ପ୍ରସ୍ତୁତ ରହିବେ । ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଜିଲା କର୍ତ୍ତୃପକ୍ଷ ଜିଲାର ବନ୍ୟା ପ୍ରବଣ ଅଞ୍ଚଳ ଚିହ୍ନଟ କରିବେ ।
ସ୍ୱାସ୍ଥ୍ୟ ବିଭାଗର ସତର୍କତା :
– ସମ୍ଭାବ୍ୟ ପରିସ୍ଥିତି ପାଇଁ ରାଜ୍ୟସ୍ତରରେ ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରହିବେ
– କାର୍ଯ୍ୟକ୍ଷମ ହେବ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
– ପାଣିପାଗ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରିବେ ଏସ୍ଆରସି, ଓସଡମା
– ଜିଲ୍ଲା ଓ ସବ୍ ଡିଭିଜନ୍ ସ୍ତରରେ ପ୍ରସ୍ତୁତି କରାଯାଇ ଆବଶ୍ୟକ ସାମଗ୍ରୀ ଯୋଗାଣ ହେବ
– ଆବଶ୍ୟକ ହେଲେ ଅତିରିକ୍ତ ମାନବ ସମ୍ବଳ ନିଯୁକ୍ତ ହେବେ
– ଜିଲ୍ଲାସ୍ତରରେ ବନ୍ୟା ଓ ବାତ୍ୟା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ
– ଜରୁରୀକାଳୀନ ବିଭାଗ ସହ ଜିଲ୍ଲା ପ୍ରଶାସନ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେବ
– ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ
– ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବ
– ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ଜରୁରୀ
– ବନ୍ୟାଞ୍ଚଳରୁ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲ ଟିମ୍ ମୁତୟନ ହେବ