ରାଜ୍ୟରେ କରୋନା ମୁକାବିଲା ଲାଗି ଆଇସିଏମଆର ଗାଇଡ ଲାଇନ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ
ଭୁବନେଶ୍ୱର : ଭାରତରେ କରୋନାର ନୂଆ ପ୍ରଜାତି ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହାକୁ ନେଇ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତେବେ ରାଜ୍ୟ ସରକାର କରୋନାର ଏହି ନୂଆ ପ୍ରଜାତି ମୁକାବିଲା କରିବାରେ ସକ୍ଷମ। ମହାମାରୀ କରୋନା ନେଇ ସତର୍କ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଦେଶରେ ସଂକ୍ରମଣ ବଢୁଛି । ରାଜ୍ୟରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବା ଲାଗି କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ରାଜନୈତିକ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଯୋଗୁଁ ରାଜ୍ୟରେ କୋଭିଡ ମୁକାବିଲା ସଫଳ ହୋଇଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ଡୋଜ ନେଇପାରିବେ ବୋଲି କୁହାଯାଇଛି ।
ସୂଚନା ଯେ, ଚୀନ, ଥାଇଲାଣ୍ଡ, ଜାପାନ ପ୍ରଭୃତି ୬ ରାଷ୍ଟ୍ର ଲାଗି ନିୟମ କଡା କରାଯାଇଛି । ସେହି ଦେଶରୁ ଆସୁଥିବା ଲୋକଙ୍କ ଲାଗି ଆରଟିପିସିଆର ଟେଷ୍ଟ ଜରୁରୀ କରାଯାଇଛି । ସଂକ୍ରମଣ ନେଇ ଭୟଭୀତ ପରିବର୍ତ୍ତେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।