ଗୁରୁ ନାମରେ କଳଙ୍କ! ନାବାଳିକା ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକକୁ ୫ ବର୍ଷ ସଶ୍ରମ କାରାଦଣ୍ଡ
ବାଲେଶ୍ୱର : ଗୁରୁ ନାମରେ କଳଙ୍କ । ଛାତ୍ରୀଙ୍କୁ ଅସଦାଚରଣ କରି ଦଣ୍ଡିତ ହେଲେ ଦୋଷୀ ପ୍ରଧାନ ଶିକ୍ଷକ । ବାଲେଶ୍ୱର ଜିଲା ସ୍ୱତନ୍ତ୍ର ପକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର ଏକ ନାବାଳିକା ଅସଦାଚରଣ ମାମଲାର ସୋମବାର ଶୁଣାଣି କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳରେ ଗତ ୨୦୨୦ ଜୁନ୍ ୧୦ ତାରିଖରେ ଜଣେ ନାବାଳିକା ଛାତ୍ରୀ ସ୍କୁଲକୁ ପାଣି ଆଣିବାକୁ ଯାଇଥିବା ବେଳେ ତାକୁ ଏକୁଟିଆ ଦେଖି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ସାହୁ ଅଫିସ ରୁମ୍କୁ ଡାକି ନେଇ ଅସଦାଚରଣ କରିଥିଲେ । ନାବାଳିକା ଜଣ ଚିତ୍କାର କରିବାରୁ ଚକୋଲେଟର ପ୍ରଲୋଭନ ଦେଖାଇବା ସହ ଘରେ କହିଲେ ସ୍କୁଲରୁ ନାମ କାଟିଦେବା ଓ ଜୀବନରୁ ମାରିଦେବାର ଧମକ ଦେଇଥିଲେ । କିନ୍ତୁ ନାବାଳିକା ଛାତ୍ରୀ ଜଣକ ମା’ଙ୍କୁ ସମସ୍ତ ବିଷୟରେ ଜଣାଇଥିଲେ । ପରେ ନାବାଳିକାର ବାପା ଏ ସମ୍ପର୍କରେ ଜାଣି ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାରେ ଏକ ମାମଲା (ନଂ. ୧୦୩/୨୦) ରୁଜୁ କରାଯିବା ସହ କୋର୍ଟରେ ବିଚାରାଧୀନ ଥିଲା । ଉକ୍ତ ମାମଲାରେ ୧୧ ଜଣ ସାକ୍ଷୀ ଏବଂ ୧୫ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ମାନ୍ୟବର ଜଜ୍ ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା, ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।