ଓଟିଏମ୍ ପୁନରୁଦ୍ଧାର ପାଇଁ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଓଟିଏମ୍ ପୁନରୁଦ୍ଧାର ପାଇଁ ୧୧୫ କୋଟି ଟଙ୍କା ଦାଖଲ କରିବେ ରାଜ୍ୟ ସରକାର । ଅଫିସିଆଲ ଲିକୁଡେଟରଙ୍କ ନିକଟରେ ୩୦ ଦିନ ମଧ୍ୟରେ ଏହି ଟଙ୍କା ଦାଖଲ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ । ସେହିପରି କ୍ୱାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ପ୍ରସଙ୍ଗକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଥିଲା । ଅଫିସିଆଲ ଲିକ୍ୟୁଡେଟର କର୍ମଚାରୀଙ୍କ କଥା ଶୁଣୁନଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ ।
କ୍ୱାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଶୁଣାଣିରେ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସହିତ ପୂର୍ବ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଜଣେ ଚାଟାର୍ଡ ଆକାଉଂଟାଂଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି । କେବଳ ସେତିକି ନୁହେଁ, ଗୋଟିଏ ମିଟରରେ ୯୦ଟି କ୍ୱାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ କୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ କ୍ୱାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।