ପୁରୀ ଆସିଛନ୍ତି କି ? ତାହାଲେ ବୁଲିବାକୁ ଭୁଲନ୍ତୁ ନାହିଁ ଏହି ୫ଟି ସ୍ଵତନ୍ତ୍ର ପୀଠ, ଜାଣନ୍ତୁ କ’ଣ କ’ଣ
ଭାରତର ଚାରିଧାମରୁ ଅନ୍ୟତମ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀଜଗନ୍ନାଥ ଧାମ ହେଉଛି ପୁରୀ। ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ସର୍ବ ପୁରାତନ ଦେଉଳ। ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି। ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ। ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ। ହିନ୍ଦୁଧର୍ମାବଲମ୍ବୀମାନେ ପୁରୀରେ ଥିବା ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରଖନ୍ତି । ଏହି ପାଞ୍ଚଟି ପବିତ୍ର ଜଳାଶ୍ରୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ରୋହିଣୀ କୁଣ୍ଡ, ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି । ଏହାଛଡ଼ା ଆପଣ ପୁରୀ ଭ୍ରମଣରେ ଆସିଥିଲେ ଏହି ପାଞ୍ଚଟି ସ୍ଵତନ୍ତ୍ର ସ୍ଥାନ ବୁଲିବାକୁ କେବେ ଭୁଲନ୍ତୁ ନାହିଁ, ଆସନ୍ତୁ ଜାଣିବା କୋଉଠି ଏହି ସ୍ୱତନ୍ତ୍ର ସ୍ଥାନ…..
ମା’ ରାମଚଣ୍ଡି :
ଓଡ଼ିଶାର ହାତଗଣତି ଲୋକପ୍ରିୟ ଶକ୍ତିପୀଠ ଭିତରୁ ମା’ ରାମଚଣ୍ଡି ଅନ୍ୟତମ। କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ମାତ୍ର ୫ କିଲୋମିଟର ଦୂରରେ କୁଶଭଦ୍ରା ନଦୀ ଯୋଉଠି ବଙ୍ଗୋପ ସାଗରକୁ ସ୍ପର୍ଶ କରିଛି। ସେହିଠାରେ ପୂଜା ପାଉଛନ୍ତି ମା’ ରାମଚଣ୍ଡି। ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରାଯିବାର ବହୁ ପୂର୍ବରୁ ମା’ ରାମଚଣ୍ଡିଙ୍କ ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ।
ଅଧିକାଂଶ ଲୋକ ମା’ ଙ୍କୁ କୋଣାର୍କର ଗ୍ରାମଦେବୀ କହିଥାନ୍ତି। କେହି କେହି ମା’ ଙ୍କୁ ସୂର୍ଯ୍ୟଦେବତାଙ୍କର ଧର୍ମପତ୍ନୀ ମାୟାଦେବୀ ମନେକରନ୍ତି। ମା’ ସର୍ବଦା ଉଗ୍ରମୁଖା କାରଣରୁ ଚଣ୍ଡି ନାମଧାରଣ କରିଛନ୍ତି ବୋଲି ଜଣାଯାଏ। ମାତ୍ର ରାମ ମଚଣ୍ଡି ପୀଠଟି ବଣଭୋଜି ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ଭୋଜି ପାଇଁ ଏଠାରେ ସବୁପ୍ରକାର ବ୍ୟବସ୍ଥା ଉପଲବ୍ଧ ରହିଛି। ଆଶ୍ବିନ ମାସରେ ମା’ ଙ୍କ ପାଖରେ ବଳି ପରମ୍ପରା ରହିଛି। ତେଣୁ ଦୁର୍ଗା ପୂଜା ସମୟରେ ପୀଠରେ ବହୁ ଲୋକଙ୍କ ସମାଗମ ହୁଏ। ରାମଚଣ୍ଡିରେ ରାତ୍ରିରେ ରହିବାକୁ ହେଲେ ଯାତ୍ରୀ ନିବାସ, ପାନ୍ଥ ନିବାସ, ହୋଟେଲ ଓ ଲଜରେ ରହିପାରିବେ।
ଶୈବକ୍ଷେତ୍ର ବେଲେଶ୍ୱର :
ପୁରୀରୁ କୋଣାର୍କ ଅଭିମୁଖେ ଗଲେ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ପଡ଼ିବ ଅଞ୍ଚଳର ପ୍ରସିଦ୍ଧ ଶୈବକ୍ଷେତ୍ର ବେଲେଶ୍ୱର। ଏହା ବେଳାଭୂମି ଛନ୍ଦ୍ରଭାଗ ଠାରୁ କିଛି କମ ନୁହଁ। ପୁରୀର ସାଙ୍ଗ-ଭାଙ୍ଗ ରୀତି ସହ ଏହା ବେଶ୍ ପରିଚିତ। କୁହାଯାଏ ଏଠାରେ ଯାହା ରୋଷେଇ କଲେ ତାହା ଆପେ ଆପେ ସ୍ଵାଦିଷ୍ଟ ହୋଇଯାଏ। ଆଉ ଏହି ଶୈବକ୍ଷେତ୍ର ଆସିଛନ୍ତି ମାନେ କ୍ଷୀରୀ ନିହାତି କରିବେ, ତାହା ବହୁତ ସ୍ଵାଦିଷ୍ଟ ହୋଇଯାଏ। ତେବେ ବେଲେଶ୍ଵର ମନ୍ଦିର ମା ‘ ରାମଚଣ୍ଡିଙ୍କ ମନ୍ଦିର ଭଳି ଦେଖିବାକୁ। ହେଲେ ମନ୍ଦିର ଭିତରେ ମହାଦେବ ବେଶ୍ ତଳେ ରହିଛନ୍ତି। ସବୁ ମନ୍ଦିର ଭଳି ଏଠାରେ ରୀତିନୀତି ପାଳନ କରାଯାଏ।
ମା’ ଦକ୍ଷିଣ କାଳୀ :
ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯିବା ବାଟରେ ସାକ୍ଷୀଗୋପାଳ ଠାରୁ ମାତ୍ର ୪ କିମି ପରେ ବାମ ପଟେ ପଡ଼ିବ ବୀର ଗୋବିନ୍ଦପୁର ଶାସନ ଗ୍ରାମ। ଗ୍ରାମ ସମ୍ମୁଖରେ ଏକ ଉଚ୍ଚ ତୋରଣ ସ୍ବାଗତ କରେ ଭକ୍ତ ମାନଙ୍କୁ। ଏହି ବ୍ରାହ୍ମଣ ଶାସନ ଗାଁର ଦୁଇ ମୁଣ୍ଡରେ ଦୁଇଟି ପୋଖରୀ, ଦୁର୍ଗା ମାଧବ ମନ୍ଦିର, ନୋଡାଲ ବିଦ୍ୟାଳୟ ଏବଂ ଦୁଇ ପଟେ ଧାଡ଼ି ଧାଡ଼ି ଘର ଓ ନଡ଼ିଆ ଗଛ ଗ୍ରାମର ଶୋଭା ବର୍ଦ୍ଧନ କରେ। ଗାଁ ଟି ତିନି ପ୍ରସିଦ୍ଧ କାଳିକା ଭଉଣୀଙ୍କ ଭିତରୁ କନିଷ୍ଠା ମା’ ଦକ୍ଷିଣକାଳୀଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି। କାଳୀ ପୂଜା ଏହି ଗ୍ରାମର ପ୍ରସିଦ୍ଧ ଏବଂ ବଡ଼ ପର୍ବ ଅଟେ। ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଛୁଟିଆସନ୍ତି କାଳୀ ପୂଜା ଦିନ ମା’ ଙ୍କର ମୃଣ୍ମୟୀ ମୂର୍ତ୍ତି ଦର୍ଶନ ପାଇଁ। ଏଥିସହ ଭୁବନେଶ୍ୱର ପଟୁ ପୁରୀକୁ ଜଗା ଦର୍ଶନରେ ଯାଉଥିବା ଭକ୍ତ ମାନେ ପ୍ରଥମେ ମା ‘ ଦକ୍ଷିଣ କାଳୀଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି।
ଲୋକନାଥ ମନ୍ଦିର :
ପୁରୀରେ ଲୋକନାଥ ମନ୍ଦିର ଅବସ୍ଥିତ। ଲୋକନାଥଙ୍କ ବିଜେ ପ୍ରତିମା ‘ଭଣ୍ଡାର ଲୋକନାଥ’ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ। ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି। ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ। ଶ୍ରୀକ୍ଷେତ୍ରେ ବିଜେ ବାବା ଶ୍ରୀଲୋକନାଥଙ୍କ ଶକ୍ତି ବିଜେ କରିଥିବା ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ। ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ। ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି। ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।
ମାଉସୀ ମା’ ମନ୍ଦିର :
ମାଉସୀ ମା’ ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର। ମା’ ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି। ମା’ ଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି। ସେ ଦ୍ୱିଭୂଜା ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା। ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି। ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ। ଏଠାର ଅଧିଷ୍ଠାତ୍ରୀ ଦେବୀ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା। ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା। ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ। ଆଗେ ମହାପ୍ରଭୁଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ପୁଣି ଫେରିଲାବେଳକୁ ଅର୍ଥାତ୍ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି।