ଫୋନରେ ରଖିଛନ୍ତି କି ଏହି ୬ଟି ଆପ୍, ସଫା ହୋଇଯିବ ଆକାଉଣ୍ଟ! ଆଜି ହିଁ ହଟାନ୍ତୁ ଆପ୍ଲିକେସନ
ମୋବାଇଲରୁ ଭାଇରସ ସଫା କରିବାକୁ ଉଦ୍ଦିଷ୍ଟ ଆପ୍ଲିକେସନ ଜରିଆରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ସଫା କରୁଛନ୍ତି ସାଇବର ଫ୍ରଡ। ଅନଲାଇନ ଠକେଇ ପ୍ରତି ସତର୍କ ରହିବା ପାଇଁ ଗୁଗଲ ଚେତାବନୀ ଜାରି କରିଛି। ଡିଜାଟାଲ ପ୍ଲାଟଫର୍ମ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଥିବାବେଳେ ଲୋକେ ଅଧିକ ମାତ୍ରାରେ ଅନଲାଇନ ଠକେଇର ଶିକାର ହେଉଛନ୍ତି। ଅଜ୍ଞତା ଓ ଅସାବଧାନତା ଯୋଗୁଁ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। ମୋବାଇଲରେ ଯେକୌଣସି ଆପ୍ଲିକେସନ ଡାଉନଲୋଡ କରିବା ସମୟରେ ଏହା ଆପ୍ ଷ୍ଟୋର ଦ୍ୱାରା ଭେରିଫାଏଡ ଆପ୍ଲିକେସନ କି ନୁହେଁ ଦେଖିବା ଜରୁରୀ ବୋଲି ଗୁଗଲ କହିଛି।
ଆଧୁନିକ ଟେକ୍ନୋଲଜି ସହିତ ତାଳ ଦେଇ ସାଇବର କ୍ରାଇମ୍ ବଢ଼ିବାର ଲାଗିଛି। ଏଥିପାଇଁ ଗୁଗଲ, ଆପଲ ପରି ମୋବାଇଲ୍ ଆପ୍ ଷ୍ଟୋର ସମସ୍ତ ଆପ୍ଲିକେସନକୁ ଭେରିଫାଏ କରିବା ପରେ ଷ୍ଟୋରରେ ସ୍ଥାନିତ କରୁଛନ୍ତି। କିନ୍ତୁ ବିଜ୍ଞାପନ, ନକଲୀ ଆପ୍ଲିକେସନ ଓ ସର୍ଚ୍ଚ ଇଞ୍ଜିନ ଜରିଆରେ ସାଇବର ଠକ ମାଗଣା ଭାଇରସ କ୍ଲିନର, ଜଙ୍କ କ୍ଲିନର ପରି ଆବଶ୍ୟକୀୟ ଆପ୍ ଜରିଆରେ ପ୍ରଚାର କରୁଛନ୍ତି। ଲୋକେ ପ୍ରଲୋଭନର ବଶବର୍ତ୍ତୀ ହୋଇ ଏପରି ଅନଭେରିଫାଏଡ ଆପ୍ଲିକେସନ ଡାଉନଲୋଡ କରିବା ପରେ ବିପଦର ସାମ୍ନା କରୁଛନ୍ତି।
ଅଭିଯୋଗ ପରେ ଏପରି ୬ଟି ଆପ ଚିହ୍ନଟ କରିବା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଏହି ଆପ୍ସରେ ସାର୍କବଟ୍ ନାମକ ମାଲୱେର୍ ମୋବାଇଲରୁ ବ୍ୟାଙ୍କ ଡାଟା ସଂଗ୍ରହ କରୁଥିଲା। ଗୁଗଲ ସୂଚନା ଅନୁସାରେ ଏହି ମାଲୱେର ଆପ୍ସ ପ୍ରାୟ ୧୫ ହଜାରରୁ ଅଧିକ ଥର ଡାଉନଲୋଡ୍ ହୋଇଛି। ଏବେ ଜାଣି ନିଅନ୍ତୁ ଏହି ବିପଦପୂର୍ଣ୍ଣ ୬ ଆପ୍ସର ନାମ ଏବଂ ଯଦି ଏହି ଆପ ଆପଣଙ୍କ ମୋବାଇଲରେ ଅଛି, ତୁରନ୍ତ ଅପସାରଣ କରନ୍ତୁ। ତାହା ହେଉଛି…
ଆଟମ କ୍ଲିନ ବୁଷ୍ଟର (Atom Clean-booster Antivirus)
ଆଣ୍ଟି ଭାଇରସ ସୁପର କ୍ଲିନର (Antivirus super cleaner)
ଆଲ୍ଫା ଆଣ୍ଟି ଭାଇରସ କ୍ଲିନର (Alpha antivirus cleaner)
ପାୱାରଫୁଲ କ୍ଲିନର ଆଣ୍ଟି ଭାଇରସ (Powerful cleaner antivirus)
ସେଣ୍ଟର ସିକ୍ୟୁରିଟି ଆଣ୍ଟି ଭାଇରସ (Center security antivirus)
ସେଣ୍ଟର ସିକ୍ୟୁରିଟି ଆଣ୍ଟି ଭାଇରସ (Center security antivirus)
ଏହି ସମସ୍ତ ଆପ୍ ଜିଓଫେନ୍ସିଂ ଓ ଫିଚର୍ ମାଧ୍ୟମରେ ଗ୍ରାହକଙ୍କୁ ଟ୍ରାକିଂ କରିବା ସହ ମୋବାଇଲ ଇନଷ୍ଟର ହୋଇଥିବା ସମସ୍ତ ଆପ୍ସର ଡାଟା ସଂଗ୍ରହ କରୁଥିଲା। ସାର୍କବଟ୍ ମାଲୱେର ମାଧ୍ୟମରେ ବ୍ୟବହାରକାରୀଙ୍କ ଠାରୁ ଏସଏମଏସ ରିଡ, ଜାଭା କୋଡ୍ ଡାଉନଲୋଡ୍, ଇନଷ୍ଟଲ୍ ଫାଇଲ୍, କଣ୍ଟାକ୍ଟ, ବ୍ୟାଟେରୀ ଅପ୍ଟିମାଇଜେସନ୍, ଲୋକାଲ୍ ଡାଟାବେସ୍ ଅପଡେଟ୍ ଆପ୍ ଡାଉନଲୋଡ କରିବା ପାଇଁ ଅନୁମତି ମଧ୍ୟ ମାଗୁଥିଲା। ଅସତର୍କ ଭାବେ ମାତ୍ର ଗୋଟିଅ ଥର ବ୍ୟବହାରକାରୀଙ୍କ ଆସେସ ପରିମିସନ ପାଇବା ପରେ ଯେକୌଣସି ଇନଷ୍ଟଲ୍ଡ ଆପ୍ଲିକେସନର ଲଗଇନ୍ ଆଇଡି ଓ ପାସୱାର୍ଡ ଚୋରେଇ ନେଉଥିଲା ଏହି ମାଲୱେର।
ଏହି ସନ୍ଦିଗ୍ଧ ଆପ୍ ବୈନେକ୍ ଆଡାମକିକ୍, ଆଡେଲ୍ମିଓ ପ୍ୟାଗନୋଟୋ ଓ ବିଙ୍ଗୋ ଲାଇକ ଇଙ୍କ ପରି କମ୍ପାନି ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଅଭିଯୋଗ ପରେ ଗୁଗଲ ପ୍ଲେ ଷ୍ଟୋରରୁ ଏସବୁ ଆପ୍ଲିକେସନ ଅପସାରଣ କରିଛି। କିନ୍ତୁ ଏବେବି ଅନେକ ଥାର୍ଡ ପାର୍ଟି ଷ୍ଟୋର୍ରେ ଏହି ଆପ୍ଲିକେସନ ଉପଲବ୍ଧ ରହିଛି। ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହିସବୁ ଆପ୍ଲିକେସନର ବିଜ୍ଞାପନ ଜାରି ରହିଛି। ଯଦି ଆପଣ ଉପରୋକ୍ତ ଆପ୍ ଗୁଡ଼ିକ ମଧ୍ୟରୁ କୌଣସି ଆପ୍ ବ୍ୟବହାର କରୁଥାନ୍ତି ତେବେ ତାହାକୁ ତୁରନ୍ତ ଅନଇନଷ୍ଟଲ କରିଦେବା ଉଚିତ।