ରାହୁଲ ଗାନ୍ଧିଙ୍କୁ ଭେଟିଲେ ହରିଶ ରାଓତ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପଂଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାଓତ କହିଛନ୍ତି ଯେ, ପଂଜାବରେ ପରିସ୍ଥିତି ଯାହା ହେଉନା କାହିଁକି ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସୂଚନା ଦେଇଛନ୍ତି । ଶନିବାର ଦିନ ଦିଲ୍ଲୀରେ ରାହଲ ଗାନ୍ଧୀଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ କତାବାର୍ତା ବେଳେ ରାଓତ କହିଛନ୍ତି ଯେ, ଆଜି ସେ ପଂଜାବ କଂଗ୍ରେସର ପରିସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ଅବଗତ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଦୀଙ୍କ ସହ ତାଙ୍କର ସାକ୍ଷାତ ବହୁତ ସଂକ୍ଷିପ୍ତ ଥିଲା ।
ଏହି ସମୟରେ ସେ ପଂଜାବ କଂଗ୍ରେସର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ପଂଜାବର ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି । ସମସ୍ତେ ସେଠାରେ ଏକାଠି କାମ କରିବେ । ସୂଚନା ଯୋଗ୍ୟ ଯେ, କଂଗ୍ରେସ ହାଇକମାଣ୍ଡର ଉଦ୍ୟମ ପରେ ମଧ୍ୟ ପଂଜାବ କଂଗ୍ରେସରେ ବିବାଦ ବନ୍ଦ ହେଉନାହିଁ । ବିଦ୍ରୋହୀ ମନୋଭାବ ପାଇଁ ଜଣାଶୁଣା ପଂଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ କଂଗ୍ରେସକୁ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ, ଯଦି ମୁଁ ନିଷ୍ପତି ନେବାକୁ ସ୍ୱାଧୀନତା ନ ପାଏ, ତେବ ମୁଁ କିଛି ବି କରିପାରେ । ସିଦ୍ଧୁଙ୍କ ଏହି ବିବୃତି ସହ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ତାଙ୍କର ମୁହାଁମୁହିଁ ବେହାର ଭୟ ପୁଣି ବଢ଼ିଛି । ଏହାକୁ ନେି ଚିନ୍ତାରେ ପଂଜାବ କଂଗ୍ରେସ ଦାୟିତ୍ୱରେ ଥିବା ହରିଶ ରାଓତ ଶୁକ୍ରବାର ଦିନ ଦିଲ୍ଲୀର ତାଙ୍କ ବାସଭବନରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ଆଜି ସମାନ ପ୍ରସଙ୍ଗରେ ରାଓତ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ।