କଳମା ପଞ୍ଚାୟତରେ ଅର୍ଥ ହରିଲୁଟ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ବାଲେଶ୍ୱର : ପଞ୍ଚାୟତ ଗୁଡିକରେ ସାଧାରଣ ଲୋକ ଙ୍କ ଅର୍ଥ କିପରି ହଡପ ହେଉଛି ତାର ଏକ ନଗ୍ନ ଓ ଜ୍ୱଳନ୍ତ ଉଦାହରଣ ହେଉଛି ବାଲେଶ୍ୱର ଜିଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ କଳମା ପଂଚାୟତ l କଳମା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଏବଂ ଏଠାରେ ନିର୍ବାଚିତ ସରପଞ୍ଚ ହେଉଛନ୍ତି ରିତାଞ୍ଜଳୀ ବେହେରା l ରିତାଞ୍ଜଳୀଙ୍କ ସ୍ୱାମୀଙ୍କୁ ହାତବାରିସୀ କରି ସ୍ଥାନୀୟ ବିଜେଡି ନେତା ୨୦୧୭ ନଭେମ୍ବର ମାସରୁ ଅଦ୍ୟାବଧି ୩୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଛନ୍ତି l
ପଂଚାୟତର ଦୁଇଟି ବ୍ୟାଙ୍କ ଖାତା, ଗୋଟିଏ ୪ର୍ଥ ଫାଇନାନ୍ସ କମିଶନ ଓ ଅନ୍ୟଟି ୧୪ର୍ଥ ଫାଇନାନ୍ସ କମିଶନ ର ଅର୍ଥ ଖର୍ଚ ପାଇଁ l ଏହି ଦୁଇଟି ବ୍ୟାଙ୍କ ପାସବୁକ ଓ ପଂଚାୟତର କ୍ୟାସ ବୁକ କୁ ଅନୁଧ୍ୟାନ କଲେ କେମିତି ଚତୁରତାର ସହିତ ପଂଚାୟତର ଟଙ୍କା ହାରିଲୁଟ ହୋଇଛି ତାର ବେଶ ପ୍ରମାଣ ମିଳେ l ଏହି ଦୁଇଟି ବ୍ୟାଙ୍କ ଖଟାରୁ ୨୦୧୭ ନଭେମ୍ବର ମାସରୁ ୨୦୨୧ ଜାନୁଆରୀ ଭିତରେ ଦୁଇ ଜଣଙ୍କ ନାମରେ 33 ଲକ୍ଷ ୫ ହଜାର ୭୩୧ ଟଙ୍କା ବିଭିନ୍ନ ସମୟରେ ବିଭିନ୍ନ ଖର୍ଚର ବାହାନା କରି ଉଠା ଯାଇଛି l ସେ ଦୁଇଜଣଙ୍କ ଭିତରୁ ଜଣେ ହେଲେ ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମୀ ନାରାୟଣ ବେହେରା ଓ ଅନ୍ୟଜଣେ ହେଲେ ପାଖ ବରଡ଼ିହା ପଂଚାୟତର ପିଅନ ଗୌର ଚରଣ ହୁଈ l ବ୍ୟାଙ୍କରୁ ଏମାନଙ୍କ ନାମରେ ଟଙ୍କା ଉଠିଛି ହେଲେ ପଂଚାୟତ କ୍ୟାସ ବୁକ ରେ ତାହା ଲେଖା ହୋଇନି କିମ୍ବା କେବଳ ମାନଗଢା ଖର୍ଚର ଉଦ୍ୟେଶ ଲେଖା ଯାଇଛି l ଗୌର ଚନ୍ଦ୍ର ହୁଈ ଙ୍କ ନାମରେ ୨୦ ଲକ୍ଷ ୬୩ ହଜାର ୬୨୧ ଟଙ୍କା ବ୍ୟାଙ୍କରୁ ଉଠିଥିବା ବେଳେ ଲକ୍ଷ୍ମୀ ନାରାୟଣ ବେହେରା ଙ୍କ ନାମରେ ୧୨ ଲକ୍ଷ ୪୨ ହଜାର ୧୭୪ ଟଙ୍କା ଉଠା ଯାଇଛି l ଏଠାରେ ସ୍ୱାଭାବିକ ପ୍ରଶ୍ନ ଆସେ ଏତେ ଗୁଡ଼ାଏ ଟଙ୍କା ଅନ୍ୟ ଏକ ପଂଚାୟତର ପିଅନ ଓ ସରପଞ୍ଚଙ୍କ ସ୍ୱାମୀଙ୍କ ନାମରେ କାହିଁକି ଉଠିଲା? ପଂଚାୟତର ବିଭିନ୍ନ ଖର୍ଚ ପାଇଁ ଏହି ଦୁଇ ଜଣଙ୍କ ନାମରେ ଉଠିବା ପଛରେ ଏକ ବଡ ରହସ୍ୟ ରହିଛି l ବାସ୍ତବରେ ଏତେ ଟଙ୍କା ଏମାନେ ଖର୍ଚ କରିନାହାନ୍ତି l ଏମାନଙ୍କୁ ମୋହରା କରି ତାଙ୍କ ମାଧ୍ୟମରେ ସ୍ଥାନୀୟ ବିଜେଡି ନେତା ସେ ଟଙ୍କାକୁ ଆତ୍ମସାତ କରିଛନ୍ତି l ଏହାର ନିରପେକ୍ଷ ତଦନ୍ତ ହେଲେ ଏହି ହରିଲୁଟ ପଛରେ ଥିବା ମୁଖ୍ୟ କାର୍ପଟଦାରମାନେ ଧରା ପଡିବେ l ରାଜ୍ୟ ସରକାର 5T ମୋ ସରକାର ର ଡିଣ୍ଡିମ ପିଟୁଛନ୍ତି l ତଥାକଥିତ ସ୍ବଛ ଓ ନିର୍ମଳ ସରକାର ର ବାସ୍ତବ ଚରିତ୍ର କଣ ତାହା କଳମା ପଂଚାୟତର ଏହି କଳା କାରନାମା ରୁ ବେଶ ଜଣାପଡେ l କେବଳ ପ୍ରତ୍ୟକ୍ଷ ଟଙ୍କା ଉଠାଇ ଟଙ୍କା ଯେ ହାରିଲୁଟ ହୋଇଛି ତାନୁହଁ, ବିଭିନ୍ନ ପ୍ରକଳ୍ପ ନାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି l ଉଦାହରଣ ସ୍ଵରୂପ ସେହି ପଂଚାୟତର କୁଚବନିଆ ଠାରେ ଏକ ଜଳ ପ୍ରକଳ୍ପ ନାମରେ ୧ଲକ୍ଷ ୯୬ ହଜାର ଟଙ୍କା ଦିନେଶ ଅଢ଼l ନାମରେ ଉଠିଛି l ମାତ୍ର ସେଠାରେ ପ୍ରକଳ୍ପ ର ନାମ ଗନ୍ଧ ନାହିଁ l ସମସ୍ତ ଟଙ୍କା ହଡପ ହୋଇଛି l ଦିନେଶ ଅଢl ହେଉଛନ୍ତି ଜେଇ ଯାହାଙ୍କ ନାମରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି l ତାଙ୍କ ନାମରେ ହୋଇଥିବା ପ୍ରକଳ୍ପ ଗୁଡିକର ତଦନ୍ତ ହେଲେ ଏହି ଦୁର୍ନୀତି ର ବିଶାଳତା ଜଣା ପଡିବ l କଳମା ପଂଚାୟତର ଏହି ଦୁର୍ନୀତି ର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ୭ ଦିନ ଭିତରେ ନନେଲେ କଂଗ୍ରେସ ରାଜରାସ୍ତା କୁ ଓହ୍ଲାଇ ବାକୁ ବାଧ୍ୟ ହେବ l