ଘରର ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଅଭାବନୀୟ ଘଟଣା। ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ମିଲି ପରିଡ଼ା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଘଟଣାକୁ ନେଇ ଶାଶୁ ଭାରତୀ ପରିଡ଼ା ଆତ୍ମହତ୍ୟା ଏବଂ ମହିଳାଙ୍କ ବାପଘର ଲୋକେ ଏହାକୁ ହତ୍ୟାକାଣ୍ତ ବୋଲି ଅଭିଯୋଗ କରିଛନ୍ତି।
ସୂଚନା ଯେ, ସାତ ବର୍ଷ ପୂର୍ବେ ଜୟନଗର ଗ୍ରାମର ହେମନ୍ତଙ୍କ ପରିଡାଙ୍କ ପୁଅ ଭାଗିରଥ ପରିଡା ମିଲିଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟେ ୬ବର୍ଷର ପୁଅ ଓ ୨ ବର୍ଷର ଝିଅ ଅଛି। ଗତ ଶୁକ୍ରବାର ରାତିରେ ଖାଇ ପିଇ ସମସ୍ତେ ଶୋଇ ଥିଲେ କିନ୍ତୁ ଶନିବାର ସକାଳୁ ଘରର ଛାତ ଉପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଲିଙ୍କ ମୃତଦେହ ପଡ଼ି ଥିବା ଦେଖିବାକୁ ମିଳିଛି। ମିଲିଙ୍କ ସ୍ବାମୀ ବାହାର ରାଜ୍ୟରେ କାମ କରୁଥିବା ବେଳେ ଘରର ଛାତ ଉପରେ ବୋହୁର ମୃତଦେହ ପଡିବା ଘଟଣା ଶାଶୁ ଶଶୁର କେମିତି ଜାଣି ପାରିଲେନି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।