ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା, ଘଟଣାସ୍ଥଳରେ ପୋଲିସର ତଦନ୍ତ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ । ଦୀର୍ଘ ଦିନ ଧରି ଲାଗି ଥିବା ସନ୍ଦେହର ଏଭଳି ଅଘଟଣ ଘଟିଥିବାର ଅନୁମାନ କରାଯାଉଛି ।
ସୂଚନା ଯେ, ବନ୍ତପାଟଣା ହରନବାବି ଗାଁର ମଣିଚରଣ ସାହୁ (୫୫) ରାତିରେ ଘରେ ଶୋଇଥିବା ବେଳେ ପଡୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା କବାଟ ଭାଙ୍ଗି ଘରେ ପଶିଥିଲେ । ରାତି ଅଧରେ ଏକ ଶାବଳରେ ମଣିଚରଣଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ପରେ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ। ସେପଟେ ହରନବାବି ଗାଁରେ ଏପରି ଘଟଣା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।