ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ, ଜାଣନ୍ତୁ କଣ କରିବେ ଓ କଣ ନାହିଁ
ଭୁବନେଶ୍ୱର : ସାରା ରାଜ୍ୟରେ ବ୍ୟାପିଛି ଆଖିଧରା ରୋଗ । ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ଏ ନେଇ ମାମଲା ଚିହ୍ନଟ ହେଉଛି । ବିଶେଷ କରି ସ୍କୁଲ ପିଲାଙ୍କ ଭିତରେ ଅତି ଶୀଘ୍ର ବ୍ୟାପୁଛି । ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ କେତେ ଛାତ୍ରଛାତ୍ରୀ ଆଖିଧରାରେ ସଂକ୍ରମିତ ହେଉଛନ୍ତି, ଶିକ୍ଷାଦାନ କେତେ ବ୍ୟାହତ ହେଉଛି ସେ ତଥ୍ୟ ଆସିନି । ସେ ତଥ୍ୟ ଆସିବା ପରେ ଆବଶ୍ୟକ ପଡିଲେ ସ୍କୁଲ ଲାଗି ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବ । ଏହାଛଡ଼ା ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି, ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ । ଘରେ ସପ୍ତାହେ ପିଲାଙ୍କ ଯତ୍ନ ନିଅନ୍ତୁ । ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ବୋଲି ସେ କହିଛନ୍ତି ।
ତେବେ ଏଥିରେ ବିଚଳିତ ନହେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗ ଦର୍ଶିକାରେ କଣ କରିବେ ଏବଂ କଣ ନ କରିବେ ସେ ନେଇ ସୂଚନା ଦିଆଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।
କଣ କରିବେ ?
- ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ
- ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ
- ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ ।
କଣ କରିବେ ନାହିଁ ?
- ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ ।
- ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ ।
- ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।