ଜାତୀୟ ହେଲ୍ପଲାଇନ ନମ୍ବରଗୁଡ଼ିକର ପ୍ରଚାର ପାଇଁ ସାଧାରଣ ମନୋରଞ୍ଜନ ଚ୍ୟାନେଲଗୁଡ଼ିକ ପାଇଁ ମାର୍ଗଦର୍ଶିକା
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବରଗୁଡ଼ିକୁ ପ୍ରଚାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ସାଧାରଣ ମନୋରଞ୍ଜନ ଟିଭି ଚ୍ୟାନେଲ (ଅଣ-ନ୍ୟୁଜ)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷ କରି ପ୍ରାଇମ ଟାଇମ ସମୟରେ, ଟିକର୍ ମାଧ୍ୟମରେ କିମ୍ବା ଏପରି କୌଣସି ଉପଯୁକ୍ତ ମାର୍ଗରେ, ଏପରିକି ବିରତି ସମୟରେ ମଧ୍ୟ ଏହି ନମ୍ବରଗୁଡ଼ିକୁ ପ୍ରଦର୍ଶିତ କରିବା ନିମନ୍ତେ ମାର୍ଗଦର୍ଶିକାରେ କୁହାଯାଇଛି । ନାଗରିକମାନଙ୍କର ଲାଭ ପାଇଁ ଭାରତ ସରକାରଙ୍କ ଦ୍ୱାରା ଏସବୁ ହେଲ୍ପଲାଇନ ନମ୍ବର ସୃଷ୍ଟି କରାଯାଇଛି ଓ ପ୍ରଚାର କରାଯାଉଛି ।
ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବିଗତ କିଛି ମାସ ଧରି, ସରକାରଙ୍କ ପକ୍ଷରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ-କୋଭିଡ ଚିକିତ୍ସା ପ୍ରୋଟୋକଲ, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ସମ୍ବାଦପତ୍ର, ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମ ଆଦି ଗଣମାଧ୍ୟମ ମଂଚ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଉପରୋକ୍ତ ତିନୋଟି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୂଚୀତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ମାର୍ଗଦର୍ଶିକାରେ ସେମାନଙ୍କୁ ପ୍ରଶଂସା କରାଯାଇଛି । ଏହି ଉଦ୍ଦେଶ୍ୟ ଲାଗି ଆହୁରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ସମ୍ପର୍କରେ ପ୍ରଚାର ଓ ସଚେତନତା କରିବା ଲାଗି ଘରୋଇ ସାଧାରଣ ମନୋରଞ୍ଜନ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି ।