ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଦୀପାବଳିରେ ଗ୍ରୀନ କ୍ରାକରକୁ ଅନୁମତି, ୨ ଘଣ୍ଟା ପାଇଁ ଫୁଟିବ ବାଣ
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଚଳିତବର୍ଷ ଦୀପାବଳିରେ ରାଜ୍ୟବାସୀ ଫୁଟାଇ ପାରିବେ ବାଣ । ତେବେ କେବଳ ପରିବେଶ ଅନୁକୂଳ ବାଣ ତଥା ସବୁଜ ବାଣ ଫୁଟାଇବା ପାଇଁ ସୋମବାର ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ପିଇଏସଓ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷରେ କେବଳ ଦୀପାବଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।
ଆସନ୍ତା ଗୁରୁବାର ଆଲୋକର ପର୍ବ ଦୀପାବଳି । ତେବେ ମହାମାରୀ କରୋନା ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଥିଲେ । ଏହି ନଷ୍ପତ୍ତିକୁ ରାଜ୍ୟ ବାଣ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ଚଳିତ ଦୀପାବଳିରେ ବାଣ ସମ୍ପୂର୍ଣ୍ଣ ବନ୍ଦ ହେବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଆଜି ଏହି ପ୍ରତୀକ୍ଷାର ଅନ୍ତ ଘଟିଛି । ମାମଲାର ବିଚାର କରି ହାଇକୋର୍ଟ ସରକାରୀ ନିଷେଧାଜ୍ଞାକୁ କିଛିଟା କୋହଳ କରିବା ସହ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ସୂଚନା ଯେ, ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ଅନ୍ୟ ସାଧାରଣ ବାଣ ତୁଳନାରେ କମ ପ୍ରଦୂଷଣ କରିଥାଏ । ପ୍ରଦୂଷଣ ଓ ହାନୀକାରକ ବାଷ୍ପ ନିର୍ଗତ କରୁଥିବା ରାସାୟନିକ ସାମଗ୍ରୀ(ଯଥା ଆଲୁମିନିୟମ, ବେରିୟମ, ପଟାସିୟମ ନାଇଟ୍ରେଟ୍)କୁ ସୀମିତ ପରିମାଣରେ ବ୍ୟବହାର କରି ଗ୍ରୀନ କ୍ରାକର ପ୍ରସ୍ତୁତ କରାଯାଇଥାଏ । ଗୋଟିଏ ସାଧାରଣ ବାଣ ପ୍ରାୟ ୧୬୦ ଡେସିବେଲ ଶବ୍ଦ ଉତ୍ପନ୍ନ କରୁଥିବାବେଳେ ଗ୍ରୀନ କ୍ରାକର ୧୧୦ରୁ ୧୨୫ ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ । ଗ୍ରୀନ କ୍ରାକର ଉତ୍ପାଦନ ଲାଗି ବାଣ ଉତ୍ପାଦନକାରୀଙ୍କୁ କେନ୍ଦ୍ର ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ଅନୁମତି ଆବଶ୍ୟକ ପଡିବ ।