ସବୁଠାରୁ ବଡ ଧର୍ମ ହେଉଛି ନିଜ ସ୍ୱଭାବ ପାଇଁ ସଚ୍ଚୋଟ ହେବା : ସ୍ୱାମୀ ବିବେକାନନ୍ଦ
ବେଦାନ୍ତ ଦର୍ଶନର ପୁରୋଧା, ମାତୃଭୂମିର ଉପାସକ, ନିଷ୍ଠାପର କର୍ମବୀର, ମାନବ ପ୍ରେମୀ ତଥା କୋଟିକୋଟି ଯୁବ ପୀଢିଙ୍କ ପାଇଁ ପ୍ରେରଣା ସ୍ରୋତ ବା ସେମାନଙ୍କ ଜୀବନର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କର ଆଜି ଜନ୍ମ ଜୟନ୍ତୀ । ଆଜି ସେହି ମହାନ ବ୍ୟକ୍ତିତ୍ୱ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ହୃଦୟରୁ କୋଟିକୋଟି ପ୍ରଣାମ ।
୧୨ ଜାନୁଆରୀ ୧୮୬୩ ମସିହାରେ କଲିକତାର ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କ କୋଳରେ ଏହି ମହାନ ଜନନାୟକଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ଭାରତୀୟ ମାନଙ୍କ ଉପରେ ଇଂରେଜ ଶାସନ ଚଳାଉଥିବା ସହିତ ଇଉରୋପିୟ ଦେଶ ଗୁଡିକରେ ଭାରତୀୟ ତଥା ହିନ୍ଦୁ ମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଥିଲା । ସ୍ୱାମୀ ବିବେକାନନ୍ଦ ଏମିତି ଏକ ସମୟରେ ଜନ୍ମ ଗ୍ରହଣ କରି ନା କେବଳ ହିନ୍ଦୁ ଧର୍ମକୁ ନିଜର ଗୌରବ ଫେରାଇଥିଲେ ଏହା ସହିତ ବିଶ୍ୱ ଦରବାରରେ ହିନ୍ଦୁ ଭାରତୀୟ ସଂସ୍କୃତିର ପ୍ରସାର ମଧ୍ୟ କରିଥିଲେ ।
ଛୋଟବେଳୁ ହିଁ ବିବେକାନନ୍ଦଙ୍କ ମନରେ ଇଶ୍ୱରଙ୍କ ସ୍ଥିତିକୁ ନେଇ ପ୍ରଶ୍ନ, ବିଭିନ୍ନ ଜିନିଷକୁ ଦେଖିବାର ଅଲଗା ଦୃଷ୍ଟିଭଙ୍ଗି, ଅପାର ଜିଜ୍ଞ୍ୟାସା ଓ ସେବା କରିବାରେ ମନବୃତି ହିଁ ସେଇ କୁନି ନରେନ୍ଦ୍ରଙ୍କୁ ସ୍ୱାମୀ ବିବେକାନନ୍ଦ ରୁପରେ ପ୍ରତିଷ୍ଠିତ କରାଇପାରିଛି ।