ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର, ଶେଷ ଦର୍ଶନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବାସଭବନରେ ଶେଷ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ନବ ଦାସଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶେଷ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ମନ୍ତ୍ରୀ, ବହୁ ରାଜନେତା ଓ ବିଧାୟକମାନେ ଶେଷ ଦର୍ଶନ କରିଛନ୍ତି । ସେହିପରି ଭୁବନେଶ୍ୱର ସ୍ଥିତ ବାସଭବନରେ ନବ ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।
ସୂଚନା ଯେ, ଗତ ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।