ଗୁଗଲ ମ୍ୟାପ୍ସରେ ନୂଆ ଫିଚର ! ଆପ୍ ଜଣାଇବ କେଉଁ ରାସ୍ତାରେ ଗଲେ ଖର୍ଚ୍ଚ ହେବ ସର୍ବନିମ୍ନ ଇନ୍ଧନ
ନୂଆଦିଲ୍ଲୀ : ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ କମ୍ପାନି ଗୁଗଲ, ଖୁବଶୀଘ୍ର ନାଭିଗେସନ ଆପ୍ ଗୁଗଲ ମ୍ୟାପ୍ସ ରେ ଲଞ୍ଚ୍ କରିବାକୁ ଯାଉଛି ନୂଆ ଫିଚର । ଯେଉଁ ଫିଚର ଦ୍ୱାରା ଆପଣ ଗନ୍ତବ୍ୟ ପଥକୁ ସର୍ଟକର୍ଟ ରୁଟ୍ ଜାଣିପାରିବା ସହ କମିବ ଆପଣଙ୍କ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ । ନାଭିଗେସନ ଆପ ଗୁଗଲ୍ ମ୍ୟାପ୍ସରେ କମ୍ପାନି ନୂଆ ଫିଚର ଯୋଡିବା ନେଇ ଘୋଷଣା କରିଛି । କେଉଁ ମାର୍ଗରେ ଗଲେ ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେବ, ଆପଣଙ୍କୁ ଜଣାଇ ଦେବ ନାଭିଗେସନ ଆପ୍ । ଯାହା ଦ୍ୱାରା ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ ।
ନୂଆ ଫିଚର ଆକ୍ଟିଭ ହେବା ପରେ ନାଭିଗେସନ୍ ଆପ୍ ଗୁଗଲ୍ ମ୍ୟାପ୍ସରେ ଆପଣଙ୍କୁ କିଛି ଗନ୍ତବ୍ୟ ତଥ୍ୟ ଭରିବାକୁ ପଡ଼ିବ । ନୂତନ ଫିଚର ଦ୍ୱାରା ଉପଭୋକ୍ତାମାନଙ୍କୁ ଯେକୌଣସି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଭିନ୍ନ ଭିନ୍ନ ରୁଟର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିବ । ଏହାସହିତ ପ୍ରତି ରୁଟରେ ରାସ୍ତାର ଅବସ୍ଥା, ଟର୍ଣ୍ଣ ଓ ଟ୍ରାଫିକକୁ ଗଣନା କରି କେଉଁ ରାସ୍ତାରେ ଗଲେ ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେବ, ତାହା ଜଣାଇବ ଗୁଗଲ ମ୍ୟାପ୍ସ ଆପ୍ । ଉପଭୋକ୍ତାମାନେ ଗୁଗଲ ଆପ୍ ରେ କାର ଇଞ୍ଜିନର ପ୍ରକାର ବାଛିପାରିବେ । ଉପଭୋକ୍ତା ନିଜ ଗାଡ଼ିରେ ଥିବା ଇନ୍ଧନ ପ୍ରକାର ଜଣାଇବାକୁ ପଡ଼ିବ । ଗ୍ୟାସ୍, ଡିଜେଲ, ପେଟ୍ରୋଲ, ହାଇବ୍ରିଡ୍ କିମ୍ବା ଇଲେକ୍ଟ୍ରିକ୍ ଯାନକୁ ସିଲେକ୍ଟ କରିବା ପରେ ଗୁଗଲ ମ୍ୟାପ୍ସ, ଉପଯୁକ୍ତ ତଥା ସର୍ବନିମ୍ନ ଇନ୍ଧନ ଖର୍ଚ୍ଚ ହେଉଥିବା ରୁଟ ଜଣାଇଦେବ ।
ଉଦାହରଣ ସ୍ୱରୂପ, ଡିଜେଲ ଇଞ୍ଜିନ ଗୁଡ଼ିକରେ ପେଟ୍ରୋଲ ଏବଂ ଗ୍ୟାସ ଇଞ୍ଜିନ ଅପେକ୍ଷା ଅଧିକ ସ୍ପିଡ ଉପରେ କମ୍ ଇନ୍ଧନ ଖର୍ଚ୍ଚ ହୋଇଥାଏ । ଅନ୍ୟପଟେ, ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ କାର୍ ଗୁଡିକ ଷ୍ଟପ ଆଣ୍ଡ ଗୋ ଟ୍ରାଫିକରେ କମ୍ ଇନ୍ଧନ ବ୍ୟବହାର କରନ୍ତି । ଇଞ୍ଜିନ୍ ପ୍ରକାର ଅନୁସାରେ ସର୍ବୋତ୍ତମ ମାର୍ଗ ମ୍ୟାପ୍ ଆପ୍ ରେ ପ୍ରଦର୍ଶିତ ହେବ । ଏହାସହିତ ଇନ୍ଧନ ସଞ୍ଚୟ ମାର୍ଗ ଉପଭୋକ୍ତାମାନଙ୍କୁ ଏକ ପତ୍ର ଲେବଲ୍ ସହିତ ଦେଖାଯିବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଦେଶରେ ନୂଆ ଫିଚର ଟେଷ୍ଟିଂ ହେବାକୁ ଯାଉଛି । ନୂଆ ଫିଚରର ଉପଲବ୍ଧତାକୁ ନେଇ କମ୍ପାନି ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି । ପ୍ରଥମେ ଏହି ଫିଚରର ପରୀକ୍ଷା ୟୁରୋପ, ଆମେରିକା ଓ ତାନାଡାରେ ହେବ । ଆସନ୍ତା କିଛି ମାସ ମଧ୍ୟରେ ଏହା ମାର୍କେଟରେ ରୋଲ ଆଉଟ ହେବ । ଏହାସହିତ କମ୍ପାନି ଇକୋ-ଫ୍ରେଣ୍ଡଲି ରୁଟିଂ ଫିଚର ଉପରେ ମଧ୍ୟ ଅଧିକ ପରୀକ୍ଷା କରୁଛି । ଗତବର୍ଷ ଏହି ଫିଚର ଆମେରିକାରେ ଲଞ୍ଚ୍ ହୋଇଥିଲା । ଫିଚରର ଗ୍ରହଣୀୟତା ବୃଦ୍ଧି ପରେ ଏବେ ୟୁରୋପର ଅନ୍ୟ ୪୦ଟି ଦେଶରେ ଇକୋ-ଫ୍ରେଣ୍ଡଲି ରୁଟିଂ ଫିଚର କାର୍ଯ୍ୟକ୍ଷମ କରିବାକୁ କମ୍ପାନି ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଉପଭୋକ୍ତାମାନେ ସର୍ବନିମ୍ନ ଇନ୍ଧନ ବ୍ୟବହାର ଏବଂ ଦ୍ରୁତତମ ମାର୍ଗ ମଧ୍ୟରୁ ଗୋଟିଏ ବାଛିବାରେ ସକ୍ଷମ ହେବେ ।
ଦ୍ରୁତ ଗତିରେ ବଢୁଥିବା ଇନ୍ଧନ ମୂଲ୍ୟରୁ ଆଶ୍ୱସ୍ତି :
ଗୁଗଲ୍ ମ୍ୟାପ୍ସର ନୂତନ ଫିଚର ସହିତ, ସେହି ଉପଭୋକ୍ତାମାନଙ୍କୁ ମଧ୍ୟ ଲାଭ ମିଳିବ, ଯେଉଁମାନେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ ସମସ୍ୟାକୁ ସାମ୍ନା କରୁଛନ୍ତି । ଏହାବ୍ୟତୀତ ବୈଦ୍ୟୁତିକ ଯାନ ଗୁଡିକର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଏହାକୁ ମଧ୍ୟ ଗୁଗଲ ନଜର ରଖିଛି । ଇଭି ଯାନ ଗୁଡିକର ବିକାଶ ଧାରାକୁ କମ୍ପାନି ସମର୍ଥନ କରୁଛି । ତେଣୁ କମ୍ପାନି ଇଭି ଚାର୍ଜିଂ ଷ୍ଟେସନ ଗୁଡିକୁ ମଧ୍ୟ ମ୍ୟାପିଂ କରିବା ଜାରି ରଖିଛି । ଶୀଘ୍ର ଗୁଗଲ୍ ମ୍ୟାପ୍ସରେ ବ୍ୟବହାରକାରୀମାନେ ଇଭି ଚାର୍ଜିଂ ଷ୍ଟେସନର ଠିକଣା ମଧ୍ୟ ପାଇପାରିବେ ।