ସାହାରା ଗ୍ରୁପ ନିବେଶକଙ୍କ ପାଇଁ ଭଲ ଖବର, ଫେରି ପାଇବେ ଜମା ଟଙ୍କା
ନୂଆଦିଲ୍ଲୀ: ସାହାରା ଗ୍ରୁପର ନିବେଶକଙ୍କ ପାଇଁ ଭଲ ଖବର । ଖୁବଶୀଘ୍ର ସେମାନେ ନିଜ ଫସିଥିବା ଟଙ୍କା ଫେରି ପାଇ ପାରିବେ । ସାହାରା-ସେବି ଫଣ୍ଡରେ ୨୪,୦୦୦ କୋଟି ଟଙ୍କା ଜମା ରହିଛି । ସରକାର ଏଥିରୁ ୫ ହଜାର କୋଟି ଟଙ୍କା ବାହାର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି, ଫଳରେ ୧.୧ କୋଟି ନିବେକଙ୍କୁ ଟଙ୍କା ପୈଠ କରାଯାଇ ପାରିବ ।
ନିବେଶକଙ୍କ ଟଙ୍କା ଦୀର୍ଘ ଦିନରୁ ସାହାରା ଗ୍ରୁପର ଚାରି କୋଅପରେଟିଭ ସୋସାଇଟିଜରେ ପଡ଼ି ରହିଛି । ୨୦୧୨ ମସିହାରେ ସୁପ୍ରିମକୋର୍ଟ ସାହାରା ହାଉସିଂ ଏବଂ ସାହାର ରିୟଲ ଇଷ୍ଟେଟକୁ ୨୫,୭୮୧ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମ୍ପାନିଗୁଡିକ ୨୦୦୭ ମାର୍ଚ୍ଚରୁ ୨୦୦୯ ଅକ୍ଟୋବର ମଧ୍ୟରେ ତିନି କୋଟି ନିବେଶକଙ୍କଠାରୁ ଏହି ରାଶି ଏକାଠି କରିଥିଲେ । ଏହି ଦୁଇ କମ୍ପାନିଗୁଡିକ ବର୍ତ୍ତମାନ ସୁଦ୍ଧା କେବଳ ୧୫,୫୬୯ କୋଟି ଟଙ୍କା ଜମା କରିଛନ୍ତି, ଯାହା ଉପରେ ୯,୪୧୦ କୋଟି ଟଙ୍କାର ସୁଧ ହୋଇଛି । ଏହିପରି ସାହାରା-ସେବି ଫଣ୍ଡରେ ମୋଟ ୨୪,୯୭୯ କୋଟି ଟଙ୍କା ଜମା ରହିଥିଲା । ରିଫଣ୍ଡ ପରେ ଏହି ଆକାଉଣ୍ଟରେ ଏବେ ବି ୨୩,୯୩୭ କୋଟି ଟଙ୍କା ଜମା ରହିଛି ।
ସମବାୟ ମନ୍ତ୍ରାଳୟ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଅଶ୍ୱର୍ଯ ଭାଟି କୋର୍ଟରେ କହିଛନ୍ତି ଯେ ଚାରି ମଲ୍ଟି-ଷ୍ଟେଟ୍ କୋଅପରେଟିଭ ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି, ସାହାରା ୟୁନିଭର୍ସିଲ ମଲ୍ଟିପର୍ପଜ ସୋସାଇଟି, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଏବଂ ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି ୯ କୋଟିରୁ ଅଧିକ ନିବେଶକଙ୍କଠାରୁ ୮୬,୬୭୩ କୋଟି ଟଙ୍କା ଏକାଠି କରିଥିଲେ ଏବଂ ଏଥିରୁ ୬୨,୬୪୩ କୋଟି ଟଙ୍କା ଆମ୍ୱିବେଲିରେ ନିବେଶ କରାଯାଇଥିଲା ।