କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଭଲ ଖବର : ଜୁଲାଇ ୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା
![](https://thetruths.in/wp-content/uploads/2021/10/31-Costly-Allowance.jpg)
ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଭଲ ଖବର ଆସିଛି। ସେମାନେ ପାଇବାକୁ ଥିବା ୩୧% ମହଙ୍ଗା ଭତ୍ତା ଏବେ ପିଛିଲା ଭାବେ ୨୦୨୧ ଜୁଲାଇ ୧ ତାରିଖରୁ ଲାଗୁ ହେବ। ମୂଳ ଦରମା ଉପରେ ପୂର୍ବରୁ ୨୮% ମହଙ୍ଗା ଭତ୍ତା ମିଳୁଥିଲା। କିନ୍ତୁ ଅକ୍ଟୋବର ୧୪ରେ କେନ୍ଦ୍ର ସରକାର ଏହାକୁ ୩୧% କରି ଦେଇଥିଲେ। ଏବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ମିଳିବ ବୋଲି ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ପକ୍ଷରୁ ଜାରି ଅଫିସ ମେମୋରେଡମରେ କୁହାଯାଇଛି ଯେ ମୂଳ ଦରମା ଅର୍ଥ ୭ମ ବେତନ କମିଶନର ସୁପାରିସ ଆଧାରରେ କେନ୍ଦ୍ରୀୟ କର୍ମଚାରୀମାନେ ପାଉଥିବା ଅର୍ଥ। ଏଥିରେ ଆଉ କୌଣସି ପ୍ରକାରର ସ୍ୱତନ୍ତ୍ର ଅର୍ଥ ସାମିଲ ନାହିଁ। ୨୦୨୧ ମସିହା ଜୁଲାଇ ୧ ତାରିଖରୁ ପିଛିଲା ଭାବେ କେନ୍ଦ୍ରୀୟ କର୍ମଚାରୀମାନେ ୨୮% ବଦଳରେ ୩୧% ମହଙ୍ଗା ଭତ୍ତା ପାଇବେ। ଏହି ନିଷ୍ପତ୍ତି ଦ୍ୱାରା ୪୭.୧୪ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଧାରୀ ଲାଭବାନ ହେବେ। ଚଳିତ ବର୍ଷ ଜୁଲାଇ ମାସରେ ମହାଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା। ଏହାପରେ ଏହା ଆଉ ୩% ବଢ଼ି ୩୧%ରେ ପହଞ୍ଚିଛି। ମହଙ୍ଗା ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାର ପ୍ରାୟ ୯,୪୮୮.୭୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବେ। ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ସଂଶୋଧିତ ହୁଏ। ଜାନୁଆରୀ ଓ ଜୁଲାଇ ମାସରେ ସରକାର ଏପରି ସଂଶୋଧନ କରନ୍ତି। କିନ୍ତୁ କରୋନା ଯୋଗୁ ଏହାର ୩ଟି କିସ୍ତି ଉପରେ ରୋକ ଲଗା ଯାଇଥିଲା।