ଭଲ ଖବର! ଶସ୍ତା ହେବ ଖାଇବା ତେଲ, ରାଜ୍ୟମାନଙ୍କୁ ଦ୍ରବ୍ୟ ଉପରେ ଷ୍ଟୋରେଜ୍ ସୀମା ଲାଗୁ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ରିହାତି ଦେବା ପାଇଁ କେନ୍ଦ୍ରର ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖାଇବା ତେଲର ମୂଲ୍ୟକୁ ବୃଦ୍ଧି ଉପରେ ଅଙ୍କୁଶ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ସାଧାରଣ ଜନତା ଖାଇବା ତେଲର ମୂଲ୍ୟ ଉପରେ ରିହାତି ପାଇପାରିବେ । ତେଲ ଓ ତୈଳବୀଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଦ୍ରବ୍ୟ ଉପରେ ଷ୍ଟୋରେଜ୍ ସୀମା ଲାଗୁ କରିବାକୁ କହିଛି ।
ଯୋଗାଣ ଶୃଙ୍ଖଳା ଓ ବାଣିଜ୍ୟରେ ବାଧା ନଦେଇ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି । ଫେବୃଆରୀ ୩ରେ ଖାଦ୍ୟ ସାମଗ୍ରୀ ଓ ତୈଳବୀଜ ଉପରେ ଷ୍ଟକ୍ ସୀମା ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା । ଆଦେଶରେ ଷ୍ଟୋରେଜ୍ ସୀମା ମଧ୍ୟ ଉଲ୍ଲେଖ କରାଯାଇଛି ।
ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି, ଯାହାଫଳରେ ସାଧାରଣ ଜନତାଙ୍କୁ ମହଙ୍ଗା ତେଲର ଭାର ବହନ କରିବାକୁ ପଡିବ ନାହିଁ । ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ବୈଠକ ସମୟରେ ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଯେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶମାନେ ଷ୍ଟକ୍ ସୀମାର ଆଦେଶ କାର୍ଯ୍ୟକାରୀ କରିବା ଉଚିତ, କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାବେଳେ ଏହା ନିଶ୍ଚିତ କରାଯାଉ ଯେ ଯୋଗାଣ ଶୃଙ୍ଖଳା ଓ ବ୍ୟବସାୟରେ କୌଣସି ବିଶୃଙ୍ଖଳା ନ ହେଉ ।