ଡିସେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଗୋନାସିକା-କେନ୍ଦୁଝର ମହୋତ୍ସବ
ଡିସେମ୍ବର ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା
କେନ୍ଦୁଝର : କେନ୍ଦୁଝର ଜିଲା ପ୍ରଶାସନ ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ କାଳୀପଡିଆଠାରେ ୫ ଦିନ ବ୍ୟାପୀ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଡିସେମ୍ବର ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ ଚଳିତ ନଭେମ୍ବର ୧୧ ତାରିଖ ଶୁକ୍ରବାର ଅପରାହ୍ନରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ୍, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ, ପିଏ ଆଇ.ଟି.ଡି.ଏ. କେନ୍ଦୁଝର ତପନ କୁମାର ନାଏକ, ଓରମାସ୍ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱନୀ ରାଉତ, ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ମହୋତ୍ସବ ଓ ପିଲ୍ଲିଶ୍ରୀ ମେଳାକୁ କିପରି ସରସ ସୁନ୍ଦର କରାଯିବ ସେ ସଂପର୍କରେ ମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଠାକରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗୋନାସିକା-କେନ୍ଦୁଝର ମହୋତ୍ସବ କେନ୍ଦୁଝର ଜିଲାର ଲୋକ ଉତ୍ସବ । ମହୋତ୍ସବ ସହିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ଜିଲାର କଳା, ସଂସ୍କୃତି ଓ ଐତିହ୍ୟ ଓ ପରମ୍ପରାର ପ୍ରତିଲିପି ହେବା ସହିିତ ଏହାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳର ସଂସ୍କୃତିର ସମାଗମ ଘଟିବ । ଏଣୁ ଏହାର ସଫଳତା ପାଇଁ ସମସ୍ତେ ସ୍ୱତଃପ୍ରବୃତ ଭାବେ ସହଯୋଗ କରିବାକୁ ନିବେଦନ କରିଥିଲେ ।
ନିଷ୍ପତି ଅନୁଯାୟୀ ଗୋନାସିକା-କେନ୍ଦୁଝର ମହୋତ୍ସବ ଓ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ଅବସରରେ ସାଂସ୍କୃତିକ ସମାରୋହରେ ଜିଲାର ବିଭିନ୍ନ ଅଂଚଳ, ରାଜ୍ୟର ବିଭିନ୍ନ ଜିଲାର ଏବଂ ଦେଶର ବିଭିନ୍ନ ରାଜ୍ୟର ଲୋକକଳା ସାଂସ୍କୃତିକ ଦଳକୁ ଆମନ୍ତ୍ରଣ କରାଯିବାକୁ ନିଷ୍ପତି ନିଆଯାଇଛି । ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଜିଲା, ରାଜ୍ୟ ତଥା ଦେଶର ଶିଳ୍ପୀ, କାରିଗର ଅଂଶଗ୍ରହଣ କରିବେ । ଏହି ଅବସରରେ ଖାଦ୍ୟମେଳା, କବି ସମ୍ମିଳନୀ, ପୁସ୍ତକମେଳା, ପୁଷ୍ପ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ବୋଲି ସ୍ଥିରିକୃତ ହୋଇଛି । ଜିଲାର ବିଭିନ୍ନ ପବିତ୍ର ସ୍ଥାନମାନଙ୍କରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ଜିଲା ସଦର ମହକୁମାସ୍ଥ ମହୋତ୍ସବ ସ୍ଥଳକୁ ଆସିବ ବୋଲି ନିଷ୍ପତି ନିଆଯାଇଛି । ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ସୁଆୟୋଜନ ଓ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଯଥା ସାଂସ୍କୃତିକ ମଣ୍ଡପ ନିର୍ମାଣ, ଷ୍ଟଲ୍ ନିର୍ମାଣ, ଆଲୋକ ବ୍ୟବସ୍ଥା, ସୁରକ୍ଷା ଓ ନିରାପତା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ସଫାସୁତୁରା, ଅତିଥି କଳାକାରମାନଙ୍କ ପାଇଁ ଅଭ୍ୟର୍ଥନା, ଖାଦ୍ୟ ବ୍ୟବସ୍ଥା ଓ ରହଣି ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ଅଗ୍ନି ନିରାପତା ବ୍ୟବସ୍ଥା, ସ୍ମରଣିକା ପ୍ରକାଶନ ଏବଂ ଅର୍ଥ ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉଦ୍ଘାଟନୀ ସମାରୋହ ଓ ଉଦ୍ଯାପନୀ ସମାରୋହ ତଥା ମହୋତ୍ସବର ଅନ୍ୟ ଦିନ ପାଇଁ ଅତିଥି ଆମନ୍ତ୍ରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ମହୋତ୍ସବ ଓ ପଲ୍ଳିଶ୍ରୀ ମେଳାର ସୁଆୟୋଜନ ଓ ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଯଥା ଗ୍ରାଉଣ୍ଡ୍ ଓ ଷ୍ଟେଜ୍ କମିଟି, ସାଂସ୍କୃତିକ କମିଟି, ଅଭ୍ୟର୍ଥନା କମିଟି, ପୁସ୍ତକମେଳା କମିଟି, ପ୍ରଚାର କମିଟି, ଅର୍ଥ କମିଟି ଏବଂ ଷ୍ଟିୟରିଂ କମିଟି ଗଠନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।