ବିଶ୍ବ ତାପମାନ ବୃଦ୍ଧି ; ତରଳୁଛି ଗ୍ଲାସିୟର, ପାଣିରେ ବୁଡ଼ିବ ଲଦାଖ
ନୂଆଦିଲ୍ଲୀ : ଉତ୍ତର ଭାରତର ଲଦାଖ ନିଶ୍ଚିହ୍ନ ହେବାକୁ ଯାଉଛି। ଏଠାରେ ଥିବା ବରଫ ଖଣ୍ଡ (ଗ୍ଲେସିୟର) ଦ୍ରୁତ ଗତିରେ ତରଳି ଚାଲିଛି। ଫଳରେ ଲାଦାଖସ୍ଥିତ ପେେଙ୍ଗାଙ୍ଗ ହ୍ରଦ ପାଣିରେ ପୂରି ଉଠିବ। କାଳକ୍ରମେ ଏହି ପାଣି ଲାଦାଖକୁ ବୁଡ଼ାଇ ଦେବ। ହ୍ରଦର ଜଳରାଶି ସର୍ବତ୍ର ମାଡ଼ିଯିବା ଫଳରେ ଏହି ସୁନ୍ଦର ଉପତ୍ୟତା ପାଣିରେ ବିଲୀନ ହୋଇଯିବ ବୋଲି କାଶ୍ମୀର ବିଶ୍ବବିଦ୍ୟାଳୟର ଗବେଷକମାନେ ଚେତାବନୀ ଦେଇଛନ୍ତି।
ଗବେଷକଙ୍କ ମତରେ ୧୯୯୦ରୁ ୨୦୨୦ ମଧ୍ୟରେ ଏହି ଅଞ୍ଚଳରେ ୬.୭ ପ୍ରତିଶତ ଗ୍ଲାସିୟର ତରଳିଛି। ଏପରି ଦ୍ରୁତଗତିରେ ଗ୍ଲାସିୟର ତରଳିବା ଶୁଭ ସଙ୍କେତ ନୁହେଁ ବୋଲି ଅଧ୍ୟାପକ ଡା. ଇରଫାନ ରସିଦ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଗବେଷକମାନେ ଲଦାଖର ୯୭ଟି ଗ୍ଲାସିୟର ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ। ଉପଗ୍ରହରୁ ପ୍ରଦତ୍ତ ତଥ୍ୟ ବିଶ୍ଳେଷଣ କଲା ପରେ ଜଣାପଡ଼ିଛି, ଗ୍ଲାସିୟର ତରଳିଯିବା ଯୋଗୁଁ ପେେଙ୍ଗାଙ୍ଗ ହ୍ରଦର ଜଳପତ୍ତନ ପ୍ରତିବର୍ଷ ବୃଦ୍ଧି ପାଉଛି। ଏହା ଦ୍ବାରା ହ୍ରଦର ଆକାର ବୃଦ୍ଧି ପାଉଛି। ଫଳରେ ଆଗାମୀ ଦିନରେ ହ୍ରଦଟି ପାଣିରେ ଡୁବିଯାଇ ଅନ୍ୟ ଆଡ଼କୁ ମାଡ଼ିଯିବାର ସମ୍ଭାବନା ରହିଛି। ଏପରି ହେଲେ ଲଦାଖ ପରି ସୁନ୍ଦର ଉପତ୍ୟକା ହଜିଯିବ। ପ୍ରତିବର୍ଷ ୦.୨୩ % ଗ୍ଲାସିୟର ତରଳୁଛି। ଗ୍ଲାସିୟର ତରଳିବାର ପ୍ରଭାବ ସ୍ଥାନୀୟ ଲୋକେ ଅନୁଭବ କଲେଣି। ଯେଉଁମାନେ ବରଫ ପାଣିକୁ ଆଶା କରି କୃଷି କରୁଛନ୍ତି ସେମାନେ ଏବେ ଚିନ୍ତାରେ। ଲଦାଖରେ ଦେଖିବାକୁ ଗଲେ କମ୍ ପାଣି ରହିଛି। ବରଫରୁ ତରଳୁଥିବା ପାଣି ଏଠାକାର ବାସିନ୍ଦାଙ୍କ ମୁଖ୍ୟ ସାଧନ। ଏପରିସ୍ଥଳେ ଆଗକୁ ଯଦି ଗ୍ଲାସିୟର ତରଳି ଯାଏ ତେବେ ଜନବସତି ମଧ୍ୟ ଡୁବି ଯିବ ବୋଲି ସ୍ଥାନୀୟ ଅଞ୍ଚଳର କୃଷକ ଦୋର୍ଜି ଅଙ୍ଗଚୁକ୍ କହିଛନ୍ତି। ଜଳବାୟୁରେ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଗବେଷକମାନେ କହିଛନ୍ତି।
ହିମାଳୟ ପର୍ବତ ଶୃଙ୍ଖଳାର ଗ୍ଲାସିୟର ତରଳିବା ବିଶ୍ବ ପ୍ରତି ବିପଦ ସୃଷ୍ଟି କରିଛି। ବରଫ ତରଳିବା ଯୋଗୁଁ ଏହି ପର୍ବତରୁ ନିର୍ଗତ ଝରଣା ଓ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ଅତୀତରେ ଉତ୍ତରାଖଣ୍ଡରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ଗତ ଦୁଇ ହଜାର ବର୍ଷ ମଧ୍ୟରେ ବିଶ୍ବ ଜଳବାୟୁରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ସଭିଙ୍କୁ ଚକିତ କରିଛି। ୧୭୫୦ ମସିହା ପରଠାରୁ ବିଶ୍ବରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇ ଆସୁଥିବା ଜଣାପଡ଼ିଥିଲା। ୨୦୧୯ ମସିହାରେ ବିଶ୍ବରେ ସର୍ବାଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥିବା ରେକର୍ଡ କରାଯାଇଥିଲା। ଏହି ବର୍ଷ ଅଙ୍ଗାରକାମ୍ଳ ସହ ମିଥେନ ଓ ନାଇଟ୍ରିକ୍ ଅକସାଇଡ୍ ପରିମାଣ ଗତ ୮୦ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଥିଲା। ୧୯୭୦ ମସିହାଠାରୁ ବିଶ୍ବତାପମାନ ବୃଦ୍ଧି ପାଇବା ପରିଲଖିତ ହୋଇଥିଲା। ୫୦ ବର୍ଷ ମଧ୍ୟରେ ବିଶ୍ବରେ ଉତ୍ତାପ ଯେତେ ବୃଦ୍ଧି ପାଇଛି ଗତ ଦୁଇ ହଜାର ବର୍ଷ ମଧ୍ୟରେ ସେତିକି ବୃଦ୍ଧି ପାଇ ନଥିଲା। ୧୯୫ଟି ଦେଶର ୨୩୪ ଜଣ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି, ଭାରତୀୟ ଉପମହାଦେଶରେ ୧୮୫୦ରୁ ୧୯୦୦ ମସିହା ମଧ୍ୟରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ହିମାଳୟ ପର୍ବତ ଶୃଙ୍ଖଳାରେ ଥିବା ଗ୍ଳାସିୟର ତରଳିବା ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଇଛି। ଆଗକୁ ପର୍ବତ ପାଦ ଦେଶରେ ଥିବା ଅଞ୍ଚଳଗୁଡ଼ିକରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଦେଖାଦେବ ା ଅଙ୍ଗାରକାମ୍ଳ ନିର୍ଗମନ ଓ ପ୍ରଦୂଷଣ ନ ରୋକିଲେ ଏବେକାର ତାପମାତ୍ରାଠାରୁ ୨୧୦୦ ମସିହା ବେଳକୁ ବିଶ୍ବର ତାପମାତ୍ରା ପ୍ରାୟ ୪.୪ଂ ସେଲସିୟସ ବୃଦ୍ଧି ପାଇପାରେ ବୋଲି ‘ନାସା’ ସୂଚନା ଦେଇଛି। ତାପମାତ୍ରା ବୃଦ୍ଧି ହେତୁ ଗ୍ଲାସିୟର ତରଳିବା ଆରମ୍ଭ କରିବ। ଏହାଦ୍ବାରା ସମୁଦ୍ର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବ। ‘ନାସା’ର ପ୍ରଶାସନିକ ଅଧିକାରୀ ବିଲ ନେଲସନ୍ କହିଛନ୍ତି, ଆଗାମା ଶତାବ୍ଦୀ ସୁଦ୍ଧା ବିଶ୍ବର ସମୁଦ୍ର ତଟବର୍ତ୍ତୀ ଅଧିକାଂଶ ଦେଶର କ୍ଷେତ୍ରଫଳ ହ୍ରାସ ପାଇପାରେ। ସମୁଦ୍ର ଜଳ ଏପରି ମାଡ଼ିବଯେ ତାହାକୁ ରୋକିବା କଷ୍ଟକର ହୋଇ ପଡ଼ିବ। ଏ ପର୍ଯ୍ୟନ୍ତ ଅନେକ ଦ୍ବୀପ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ଆଗକୁ ଆହୁରି ଅଧିକ ଦ୍ବୀପ ସମୁଦ୍ରରେ ଡୁବିଯିବ ବୋଲି ସେ କହିଛନ୍ତି।
ଏବେ ବିପଦ କେବଳ ଆର୍ଣ୍ଟାଟିକାରେ ଭିତରେ ସୀମିତ ହୋଇ ରହି ନାହିଁ। ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବରଫ ତରଳିବା ଯୋଗୁଁ ଭାରତ ମହାସାଗର ଓ ଆଟ୍ଲାଣ୍ଟିକ୍ ମହାସାଗରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏବେ କେବଳ ଉପକୂଳରେ ଥିବା ଦେଶ ନୁହେଁ; ବରଫ ଖଣ୍ଡକୁ ଲାଗିଥିବା ଅଞ୍ଚଳ ମଧ୍ୟ ପାଣିରେ ଡୁବିବାକୁ ବସିଛି। ଏପରି ହେଲେ ଭାରତର ସୁନ୍ଦର ଉପତ୍ୟକା ଲାଦାଖ ପ୍ରତି ବିପଦ ମାଡ଼ି ଆସିବ। ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ସର୍ଜନ ଯଦି ହ୍ରାସ ପାଆନ୍ତା ଆଗକୁ ଏପରି ପରିସ୍ଥିତି ଉପୁଜନ୍ତା ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।