ଆଜି ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ, ବିଦେଶରୁ ଫେରି ମୁଖାଗ୍ନି ଦେବେ ପୁଅ
ନୂଆଦିଲ୍ଲୀ : ଆଜି ପ୍ରଖ୍ୟାତ ଲେଖିକା ଓ ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ହେବ ଶେଷକୃତ୍ୟ । ନୂଆଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତ ଶନିବାର ରାତିରେ ପ୍ରସିଦ୍ଧ ଲେଖିକା, ଗବେଷିକା, ସଂସ୍କୃତି ବିଶେଷଜ୍ଞ ଗୀତା ମେହେଟ୍ଟାଙ୍କର ପରଲୋକ ହୋଇଥିଲା ।
ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀରକୁ ୩, ଏ.ପି.ଜେ କଲାମ ମାର୍ଗ ସ୍ଥିତ ତାଙ୍କ ପୈତୃକ ବାସଭବନରେ ରଖାଯାଇଛି । ରବିବାର ଦିନ ଭଉଣୀଙ୍କ ଶେଷ ଦର୍ଶନ ଲାଗି ଦିଲ୍ଲୀରେ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡ଼ି ସାଂସଦ ପିନାକୀ ମିଶ୍ର ମଧ୍ଯ ଗୀତାଙ୍କ ଶେଷ ଦର୍ଶନ କରିଥିଲେ । ସୋମବାର ଦିନ ଗୀତାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଆମେରିକାରୁ ଫେରିବା ପରେ ଶେଷକୃତ୍ୟ ସଂପନ୍ନ ହେବ ।
ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ ଗୀତା ମେହେଟ୍ଟା। ୧୯୪୩ ମସିହାରେ ଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିବା ଗୀତା ଭାରତ ଓ ବ୍ରିଟେନ ସ୍ଥିତ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ପ୍ରଖ୍ୟାତ ଲେଖିକା ହେବା ସହ ଏକାଧାରାରେ ସେ ଥିଲେ ଜଣେ ସାମ୍ବାଦିକା, ଫିଲ୍ମ ନିର୍ଦ୍ଦେଶିକା ଓ ବୃତ୍ତିଚିତ୍ର ନିର୍ମାତା । ଜଣେ ସୁଲେଖିକା ଭାବେ ସେ ସାରା ବିଶ୍ବରେ ପରିଚିତ ଥିଲେ । ୧୯୭୯ ମସିହାରେ ତାଙ୍କର ପ୍ରଥମ ପୁସ୍ତକ କର୍ମ କୋଲା ପ୍ରକାଶ ପାଇଥିଲା । ୨୦୦୬ ମସିହାରେ ପ୍ରକାଶ ପାଇଥିବା ଇଟରନାଲ ଗଣେଶ ତାଙ୍କର ଶେଷ ପୁସ୍ତକ ଥିଲା । ୧୯୬୫ ମସିହାରେ ସେ ଆମେରିକାର ପ୍ରଖ୍ୟାତ ପ୍ରକାଶକ ସ୍ୱର୍ଗତ ସୋନି ମେହେଟ୍ଟାଙ୍କୁ ବିବାହ କରିଥିଲେ । ପରେ ୧୯୭୦ ମସିହାରେ ସେ ଆମେରିକାର ଟେଲିଭିଜନ୍ ଚ୍ୟାନେଲ ଏନସିବି ପାଇଁ ଯୁଦ୍ଧ ରିପୋର୍ଟିଂ କରିଥିଲେ । ୨୦୦୯ ମସିହାରେ ସ୍ବାମୀ ସୋନି ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିଲା । ଗୀତା ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ସେ ପ୍ରତ୍ୟକ୍ଷ ଭାବେ ରାଜନୀତିଠାରୁ ଦୂରରେ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ଗୀତା ସାମିଲ ହୋଇଥାଆନ୍ତି । କୁହାଯାଏ, ଭାଇ ନବୀନଙ୍କ ସହ ଗୀତାଙ୍କ ସଂପର୍କ ଅତି ନିବିଡ଼ ଥିଲା ।
ସୂଚନା ଯେ, ଲେଖିକା ଗୀତା ମେହେଟ୍ଟାଙ୍କ ଶନିବାର ରାତିରେ ପରଲୋକ ହୋଇଥିଲା । ଦିଲ୍ଲୀ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଗତ ୩ ବର୍ଷ ତଳେ ତାଙ୍କ ସ୍ୱାମୀ ସୋନୀ ମେହେତାଙ୍କର ପରଲୋକ ହୋଇଥିଲା। ଗୀତା ମେହେତା ଗତ ୪ ବର୍ଷ ତଳେ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଚର୍ଚ୍ଚାରେ ରହିଥିଲେ। ରାଜନୈତିକ ଦୃଷ୍ଟି କୋଣରୁ ସେ ପୁରସ୍କାର ଫେରାଇ ଦେଇଥିଲେ ବୋଲି କହିଥିଲେ। ଗୀତା ମେହେଟ୍ଟାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଥିଲା ।
ପ୍ରକାଶ ଥାଉ କି, ଆଦିବାସୀଙ୍କ ଜୀବନଶୈଳୀ, ପୋଷାକ, ଅଳଙ୍କାର, ସଂପର୍କରେ ଜାଣିବା ପାଇଁ ସେ ବିଶେଷ ଆଗ୍ରହୀ ଥିଲେ । ୨୦୧୮ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସେ ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ସହ ଆଦିବାସୀ ଅଳଙ୍କାର କିଣିଥିଲେ । ତେବେ ଗୀତା ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତେବେ ଆଜି ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଦିଲ୍ଲୀ ପହଁଞ୍ଚିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।