କରୋନାରେ ଗ୍ୟାଙ୍ଗଷ୍ଟର ଫହୀମ ମୃତ
ମୁମ୍ବାଇ : ଅଣ୍ଡରୱାର୍ଲ୍ଡର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଫହୀମ ଅହମଦ ଶରୀଫର (ଫହୀମ ମଚମଚ) ଙ୍କର ମୃତ୍ୟୁ ହୋଇଛି । କରୋନାରେ ସଂକ୍ରମିତ ହୋଇ ପାକିସ୍ତାନରେ ଫହୀମର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଦକ୍ଷିଣ ମୁମ୍ବାଇ ନିବାସୀ ଫହୀମଙ୍କ ପରିବାର ଶୁକ୍ରବାର ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରିଛନ୍ତି । ଏଥିରେ କିଛି ଲୋକ ଉପସ୍ଥିତ ଥିଲେ ।
ଫହୀମ ଡି-କଂପାନୀର ଅଂଶୀଦାର ଭାବରେ କାମ କରୁଥିଲା, ଯାହାକି ଏକ ଅପରାଧ ସିଣ୍ଡିକେଟ । ଏହି ସଂସ୍ଥାର ପରିଚାଳନା ଫେରାର ମାଫିଆ ଡନ ଦାଉଦ ଇବ୍ରାହିମ କାସ୍କର କରିଥାଏ, ଯିଏକି ଏବେ କରାଚୀରେ ଅଛି । ସଂଯୁକ୍ତ ଆରବ ଇମିରାତରେ ରହୁଥିବା ଦାଉଦର ଜଣେ ପୂର୍ବ ସହଯୋଗୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏକଦା ସମୟ ଥିଲା, ଫହୀମ ରଫିକ ଭାଇଙ୍କ ଉପନାମ ବ୍ୟବହାର କରି ବଲିଉଡର ବିଭିନ୍ନ ହସ୍ତୀଙ୍କୁ ଫୋନ କରୁଥିଲା । ଫଳରେ ସେମାନେ ଭୟଭୀତ ହୋଇଯାଉଥିଲେ ଏବଂ ଯାହା ମାଗୁଥିଲେ ତୁରନ୍ତ ମିଳିଯାଉଥିଲା । ସ୍କୁଲ ପଢ଼ିବା ସମୟରେ ଫହୀମ ଛୋଟା ଶକିଲର ନିକଟତର ହୋଇଯାଇଥିଲା । ତାକୁ ଦାଉଦର ଡାହାଣ ହାତ ମଧ୍ୟ କୁହାଯାଇଥାଏ । ଫହୀମକୁ ମୁମ୍ବାଇ ପୋଲିସ ୧୯୯୫ରେ ଗିରଫ କରିଥିଲା । ତାକୁ କୋର୍ଟରୁ ଯେତେବେଳେ ୨ୟ ଥର ଜାମିନ ମିଳିଗଲା, ସେ ଦୁବାଇ ଫେରାର ହେବାରେ ସଫଳ ହୋଇଥିଲା ।