ନୀଳଗିରିରେ ଗଡ଼ଜାତ ମିଶ୍ରଣ ଉତ୍ସବ ପାଳିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୬ତମ ଗଡ଼ଜାତ ମିଶ୍ରଣ ଦିବସ ପାଳିତ ହୋଇଯାଇଛି । ନୀଳଗିରି ପୂଜ୍ୟପୂଜା କମିଟି ପକ୍ଷରୁ ଗଡ଼ଜାତ ମିଶ୍ରଣ ଉତ୍ସବ ବାଲିଗୋହିରୀ ସ୍ଥିତ ରତ୍ନାକର ଟାଉନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସ୍ୱାଧୀନ ଭାରତବର୍ଷ ପାଇଁ ନୀଳଗିରି ଗଡ଼ଜାତ ହିଁ ପଥପ୍ରଦର୍ଶକ ବୋଲି କହିଥିଲେ । କମିଟିର ସଭାପତି ତଥା ବରିଷ୍ଠ ଖବରଦାତା ଅମରେନ୍ଦ୍ର ମହାପାତ୍ର ମଞ୍ଚରେ ସଭାପତିତ୍ୱ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ନୀଳଗିରି ର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ମଞ୍ଚାସୀନ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଏନ୍ଏସିର ଅଧ୍ୟକ୍ଷା ଅମ୍ବିକା ଦାସ, ଜିଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ନୀଳଗିରି ମହିଳା ମହାବିଦ୍ୟାଳୟରର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ମଞ୍ଚାସୀନ ରହି ଗଡ଼ଜାତ ମିଶ୍ରଣ ର ଆଭିମୁଖ୍ୟ ବିଷୟରେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସେହିପରି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସମ୍ପାଦକ ସଦାଶିବ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁରୂପ ଭାବେ ନୀଳଗିରି ଗଡ଼ଜାତ ପ୍ରଜାମଣ୍ଡଳ ସ୍ମୃତି ସୁରକ୍ଷା ସମିତି ପକ୍ଷରୁ ନୀଳଗିରି ବିି୍ରଟ୍ କଲ୍ୟାଣମଣ୍ଡପ ପରିସରରେ ସମିତିର ସଭାପତି ତଥା ନୀଳଗିରିର ପୂର୍ବତନ ବିଧାୟକ ଚିତରଞ୍ଜନ ଷଡ଼ଙ୍ଗୀଙ୍କ ସଭାତିତ୍ୱରେ ଗଡ଼ଜାତ ମିଶ୍ରଣ ଉତ୍ସବ ପାଳନ କରାଯାଇଛି । ଉତ୍ସବରେ କଂଗ୍ରେସର ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ଦେବାନନ୍ଦ ଦାସ, ନିହାର ରଞ୍ଜନ ପରିଡ଼ା, ସୁରେଶ କୁମାର ଦାଶ, ରଞ୍ଜିତ ଦାସ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ମତ ରଖିଥିଲେ । ସମିତିର ସମ୍ପାଦକ କିଶୋର କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ ପଠନ କରିଥିଲେ । ଏହି ଅବସରରେ ନୀଳଗିରି ମହିଳା ମହାବିଦ୍ୟାଳୟ ତରଫରୁ ଏକ ଜନଜାଗରଣ ପଦଯାତ୍ରା ଆୟୋଜନ କରାଯାଇଥିଲା । କଲେଜର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡା ଉକ୍ତ ସଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ପଦଯାତ୍ରାର ନେତୃତ୍ୱ ନେଇଥିଲେ । ଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଧରି ସହର ପରିକ୍ରମା କରିଥିଲେ ।