ଆଜିଠାରୁ ଡବ୍ଲୁପିଏଲ, ୫ଟି ଦଳକୁ ନେଇ ଖେଳାଯିବ ୨୨ଟି ମ୍ୟାଚ୍
ମୁମ୍ବାଇ : ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ) ବିଗୁଲ । ଚଳିତ ବର୍ଷ ମୋଟ୍ ୫ଟି ଦଳକୁ (ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ୍ ଜାଏଣ୍ଟସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୟୁପି ୱାରିୟସ) ନେଇ ପ୍ରଥମ ସିଜିନ ଆରମ୍ଭ ହେବ । ଚଳିତବର୍ଷ ମୋଟ୍ ୨୨ଟି ମ୍ୟାଚ୍ ମୁମ୍ବାଇର ୨ଟି ଷ୍ଟାଡିୟମରେ ଖେଳାଯିବ।
୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଗୋଟିଏ ଦଳ ଲିଗ୍ ପର୍ଯ୍ୟାୟରେ ୮ ମ୍ୟାଚ୍ ଖେଳିବ । ଲିଗ୍ ପରେ ଟେବୁଲର ଶୀର୍ଷ ଦଳ ସିଧାସଳଖ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବ। ଦ୍ବିତୀୟ ଓ ତୃତୀୟ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ । ଏହାର ବିଜେତା ଦ୍ବିତୀୟ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିବ ।
ମହରାଷ୍ଟ୍ରର ଦୁଇ ଷ୍ଟାଡିୟମ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଫାଇନାଲ୍, ଗୋଟିଏ ଏଲିମିନେଟର ଓ ୨୦ ଲିଗ୍ ମ୍ୟାଚ୍ ସହ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ମ୍ୟାଚ୍ ରାତି ୭ଟା ୩୦ମିନିଟ ସମୟରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍ ଥିବ ପ୍ରଥମ ମ୍ୟାଚ୍ ଅପରାହ୍ନ ୩.୩୦ରେ ଆରମ୍ଭ ହେବ ।
ପ୍ରଥମ ୨୦ଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରଖା ଯାଇଛି । ମହିଳା ଓ ବାଳିକାମାନେ ମାଗଣାରେ ମ୍ୟାଚ୍ ଦେଖି ପାରିବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ମ୍ୟାଚ୍ ଗୁଡ଼ିକ ସ୍ପୋର୍ଟ୍ସ-୧୮ ନେଟ୍ୱାର୍କରେ ପ୍ରସାରଣ ହେବ । ଜିଓ ସିନେମା ଆପ୍ରେ ମଧ୍ୟ ଦର୍ଶକ ମ୍ୟାଚ୍ର ସିଧାପ୍ରସାରଣ ଦେଖି ପାରିବେ ।
ତେବେ ଆଜି ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନୋନ, କିଆରା ଆଡ୍ଭାନୀ ଏବଂ ଏପି ଧିଲୋନ୍ । ଏହାବ୍ୟତୀତ ଅନେକ ନାମୀଦାମୀ କଳାକାରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିବ ।