ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଗାଁ ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା
ଭୁବନେଶ୍ୱର : ଆଜି ଅର୍ଥାତ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଳିବ ଏହି ପଦଯାତ୍ରା । ରାଜଧାନୀର ବଡ଼ଗଡ଼ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ଆରମ୍ଭ ହେବ । ଏହି ମେଗା ଅଭିଯାନକୁ ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରା ପରେ ବଡ଼ଗଡ଼ ଖେଳପଡ଼ିଆରେ ଆୟୋଜିତ ବିଶାଳ ସମାବେଶକୁ ସେ ସମ୍ବୋଧିତ କରିବେ ।
ପଦଯାତ୍ରା ମାଧ୍ୟମରେ ପ୍ରତି ଘରେ ପହଞ୍ଚିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି । ପଦଯାତ୍ରା କରି ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ରାଜ୍ୟ ସରକାରଙ୍କ ବିକାଶମୂଳକ କାମ ସମ୍ପର୍କରେ ଲୋକଙ୍କୁ ବୁଝାଇବେ । ସବୁ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ହେବ । ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏ ପଦଯାତ୍ରା ଚାଲିବ । ଅକ୍ଟୋବର ୨ରୁ ଡିସେମ୍ବର ୨୬ ତାରିଖ ଯାଏ ଏହି ଜନସମ୍ପର୍କ ଯାତ୍ରା କରାଯିବ । ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରାଯିବ । ପ୍ରତି ନିର୍ବାଚନମଣ୍ଡଳୀରେ ଏହା ପାଳନ ହେବ ।
ସୂଚନା ଯେ, ଆସନ୍ତା ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୂରିବ । ଦଳର ଏହି ୨୭ତମ ପ୍ରତିଷ୍ଠା ଦିବସ ପାଇଁ ଜନସମ୍ପର୍କ ପଦଯାତ୍ରାକୁ ବ୍ୟାପକ କରିବାକୁ ଦଳ ଯୋଜନା କରିଛି । ସବୁ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ଅକ୍ଟୋବର ୧୨ରୁ ମାସକ ଯାଏ ଦଳର ସକ୍ରିୟ ସଦସ୍ୟ, ସଦସ୍ୟାଙ୍କୁ ନେଇ ଜିଲ୍ଲାପରିଷଦ ଜୋନ୍ସ୍ତର ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିର କରାଯିବ । ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଲୋକଙ୍କ ପାଖକୁ ଯାଇ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା ହୋଇଛି । ପ୍ରତି ୱାର୍ଡରେ ପହଞ୍ଚି ସରକାରୀ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯିବ । ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଥିରେ ଓଡ଼ିଶାର ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ରାଜ୍ୟର ବିକାଶକୁ ଶୀର୍ଷକୁ ନେବାକୁ ବିଜେଡି ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ । ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିଙ୍କ ନେତୃତ୍ୱ ନେଇ ପଦଯାତ୍ରା ସହ ସବୁ ସାମାଜିକ କାର୍ଯ୍ୟକ୍ରମ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।