ଆଜିଠାରୁ ୨୫ଟଙ୍କା ମହଙ୍ଗା ହେଲା ରନ୍ଧନ ଗ୍ୟାସ୍
ନୂଆଦିଲ୍ଲୀ : ଆଜିଠାରୁ ଅଣ-ରିହାତି ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର୍ ପିଛା ୨୫ଟଙ୍କା ମହଙ୍ଗା ହୋଇଛି। ଏଥିସହ ‘କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର୍ ଦର ମଧ୍ୟ ସିଲିଣ୍ଡର୍ ପିଛା ୭୫ଟଙ୍କା ବୃଦ୍ଧି ପାଇଛି । ରାଷ୍ଟ୍ରାୟତ ତୈଳ କମ୍ପାନିମାନେ ଧାର୍ଯ୍ୟ କରିଥିବା ଉପରୋକ୍ତ ବର୍ଦ୍ଧିତ ମୂଲ୍ୟ ହିସାବରେ, ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ୧୪.୨ କି.ଗ୍ରା. ଅଣ-ରିହାତି ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ର ମୂଲ୍ୟ ଏବେ ଟ. ୮୮୪.୫୦ ପଡ଼ିବ। ସେହି ଅନୁସାରେ, କୋଲ୍କାତାରେ ଉକ୍ତ ସିଲିଣ୍ଡର୍ର ମୂଲ୍ୟ ହେବ ଟ. ୯୧୧/-। ଅଗଷ୍ଟ ୧୭ ତାରିଖରେ ଅଣ-ରିହାତି ‘ଏଲ୍ପିଜି ସିଲିଣ୍ଡର୍’ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ପୂର୍ବରୁ ଜୁଲାଇ ପହିଲାରେ ମଧ୍ୟ ‘ଏଲ୍ପିଜି ସିଲିଣ୍ଡର୍’ର ଦର ଟ. ୨୫.୫୦ ବୃଦ୍ଧି ପାଇଥିଲା। ଆଜି ସେପ୍ଟେମ୍ବର ପହିଲାକୁ ମିଶାଇ ରନ୍ଧନ ଗ୍ୟାସ୍ ଦର କ୍ରମାଗତ ୩ ମାସ ହେବ ବୃଦ୍ଧି ପାଇ ସମୁଦାୟ ଟ. ୭୫ଟଙ୍କା ମହଙ୍ଗା ହେଲାଣି।
ସୂଚନା ଯେ, ଗତ ୭ ବର୍ଷ ମଧ୍ୟରେ ‘ଏଲ୍ପିଜି’ ଦର ୨ଗୁଣ ବୃଦ୍ଧି ପାଇଛି। ୨୦୧୪ ମାର୍ଚ ୧ ତାରିଖରେ ଗୋଟାଏ ‘ରିଫିଲ ଏଲ୍ପିଜି ସିଲିଣ୍ଡର୍’ ଦର ଥିଲା ଟ. ୪୧୦.୫୦। ଏବେ ତାହା ୮୫୯.୫୦ର ପହଞ୍ଚି ପ୍ରାୟ ଦୁଇଗୁଣ ହୋଇଯାଇଛି। ସମ୍ପ୍ରତି ସରକାର ଗୋଟିଏ ଘରକୁ ରିହାତି ମୂଲ୍ୟରେ ବର୍ଷକୁ ୧୨ଟି ‘ଏଲ୍ପିଜି ସିଲିଣ୍ଡର୍’ ଯୋଗାଇ ଦେଉଛନ୍ତି। ସେଥିରେ ପୁଣି ମାସକୁ ମାସ ରିହାତି ଅର୍ଥ ପରିମାଣରେ ପରିବର୍ତ୍ତନ ଘଟୁଛି।