ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ନିବେଶକ ସମ୍ମେଳନରେ ଯୋଗଦେବେ
୧୬ଟି ରାଷ୍ଟ୍ରର ଶିଳ୍ପପତି, କମ୍ପାନୀ ମୁଖିଆଙଙ୍କୁ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିବେ ନବୀନ
ଭୁବନେଶ୍ୱର : ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତର ପ୍ରଥମ ଦିନରେ ବୁଧବାର ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଏଣ୍ଡ ଆମ୍ବାସଡ଼ର ମିଟରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ମିଳିଛି। ସେହିପରି ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍,ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି।
ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। କରୋନା କାରଣରୁ ୨ ବର୍ଷ ପରେ ଏହି କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ବିପଣନ ଏବଂ ଲଜିଷ୍ଟିକ୍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ।