ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଲେ ମହିଳା ସିଙ୍ଗଲ୍ସ ଖେଳାଳି ବ୍ରାଡି
ୱାଶିଂଟନ୍ : ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ରୁ ଓହରିଯାଇଛନ୍ତି ଆମେରିକାର ପ୍ରମୁଖ ମହିଳା ସିଙ୍ଗଲ୍ସ ଖେଳାଳି ଜେନିଫର୍ ବ୍ରାଡି। ଚଳିତ ବର୍ଷର ଏହି ଟୁର୍ଣ୍ଣାମେଣ୍ଟ୍ରେ ରନର୍ସଅପ୍ ହୋଇଥିବା ବ୍ରାଡି ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ କାରଣରୁ ଏପରି ନିଷ୍ପତ୍ତି ନେଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଫେବ୍ରୁଆରୀରେ ବ୍ରାଡି କ୍ୟାରିୟର୍ରେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଓପନ୍ ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଜାପାନର ନାଓମୀ ଓସାକାଙ୍କଠାରୁ ସିଧାସଳଖ ସେଟ୍ରେ ପରାସ୍ତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ରହିଥିଲେ।
ଅନ୍ୟପକ୍ଷରେ ଗତ ଅଗଷ୍ଟରେ ବ୍ରାଡି ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ୍ ଖେଳିଥିଲେ। ସିନସିନାଟ ଓପନ୍ରେ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ତାଙ୍କର ଭେଟ ଲାଟଭିଆର ଜେଲେନା ଓଷ୍ଟାପେଙ୍କୋଙ୍କ ସହ ହୋଇଥିଲା। ଏଥିରେ ପରାସ୍ତ ହେବା ପରଠାରୁ ବିଶ୍ୱର ଏହି ୨୫ ନମ୍ବର ଖେଳାଳି ଜଣକ ଆଉ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି। ପୂର୍ବରୁ ୨୦୨୨ ଅଷ୍ଟ୍ରେଲିଆନ୍ ଓପନ୍ରୁ ବିଶ୍ୱର ୪ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି କ୍ୟାରୋଲିନା ପ୍ଲିସ୍କୋଭା ଏବଂ ସେରେନା ୱିଲିୟମ୍ସ, ବିୟାନ୍ସା ଆଣ୍ଡ୍ରେସ୍କୁ ଓ ରୋଜର୍ ଫେଡେରର୍ଙ୍କ ପରି ଗ୍ରାଣ୍ଡ୍ସ୍ଲାମ୍ ଚାମ୍ପିଅନ୍ ଓହରିସାରିଥିବା ବେଳେ ରବିବାର ଏହି ସୂଚୀରେ ବ୍ରାଡି ସାମିଲ୍ ହୋଇଛନ୍ତି।