ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ, ସମସ୍ତେ କୋଭିଡ ନିୟମ ମାନନ୍ତୁ : ଜନସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ଦେଶର ବିଭିନ୍ନ ଅଂଚଳରେ କରୋନା ମାମଲା ବଢୁଥିବା କାରଣରୁ ସମସ୍ତେ କୋଭିଡ ନିୟମକୁ ମାନନ୍ତୁ ବୋଲି ଅପିଲ କରିଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଂଜନ ମିଶ୍ର । ସେ କହିଛନ୍ତି ଯେ ସମସ୍ତେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ । ସେ କହିଛନ୍ତି ଯେ, ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତିଭୂମି ଅଛି, ଔଷଧ ଅଛି ବୋଲି ସେ କହିଛନ୍ତି ।
ସେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ ବିଷୟରେ କହିଛନ୍ତି । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ । ଏବେ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫-୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ ସଂଖ୍ୟା ୧୦୦ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଂଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।