ମେ୧ ଯାଏଁ ତାତିରୁ ମିଳିବନି ନିସ୍ତାର ! ଆଜି ୮ ଜିଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି, ଖରାକୁ ନ ବାହାରିବା ପାଇଁ ପରାମର୍ଶ
ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ରୌଦ୍ରତାପ । ଉତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଉତପ୍ତ-ଶୁଷ୍କ ବାୟୁ ଏବଂ ଅତ୍ୟାଧିକ ସୂର୍ଯ୍ୟ ଉତାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୨ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗ୍ରୀଷ୍ମ ପ୍ରବାହ ପାଇଁ ଆଗାମୀ ୫ଦିନ ନିମନ୍ତେ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ବୁଧବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସୋନପୁର, ଦେବଗଡ଼, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ ଏହି ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ୨୮ ତାରିଖ ଗୁରୁବାର ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର ଆଦି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଖରାକୁ ନବାହାରି ଛାଇ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶିଶୁ, ଅସୁସ୍ଥ ଓ ବୃଦ୍ଧ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା , ଅଧିକ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ବି ପାଣିପାଗ ବିଭାଗ ପରାମର୍ଶ ଦେବା ସହିତ ଆଖୁ, ଗ୍ରୀଷ୍ମ ମକା, ଡାଲି ଏବଂ ଅନ୍ୟାନ୍ୟ ଫସଲ ଏବଂ ପନିପରିବାରେ ଜଳସେଚନ କାର୍ଯ୍ୟ ଜାରି ରଖିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସରକାର ଅନେକ ସଚେତନତା କାର୍ଯ୍ୟ କରୁଛନ୍ତି । ଏହାରି ଭିତରେ ଖରାର କୋପରୁ ବର୍ତ୍ତିବା ଓ ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ ସତର୍କତା ଓ ସଚେତନ ରହିବା ସହ ସରକାରଙ୍କ କଟକଣାଙ୍କୁ ମାନିବାର ଆବଶ୍ୟକତା ରହିଛି । ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡିଥିବା ବେଳେ ଖରାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ।