ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ
ନୀଳଗିରି : ନୀଳଗିରି ଆଦିବାସୀ ବିକାଶ ମହାସଂଘ ପକ୍ଷରୁ ସଜନାଗଡ଼ ନୂଆସାହି ଖେଳ ପଡ଼ିଆରେ କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ସହୀଦ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ମୁଖ୍ୟଅତିଥି ଭାବେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଜୟନ୍ତୀକୁ ଶୁଭାରମ୍ଭ କରିବା ସହ ମହାନ ଆଦିବାସୀ ଆନ୍ଦୋଳନର ସୂତ୍ରଧାରା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ବିର୍ସାମୁଣ୍ଡା ଜଣେ ମହାନ ସ୍ୱତନ୍ତ୍ର ସେନାନୀଙ୍କ ସାହସ ଓ ତାଙ୍କ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବେ ସୁନୀତି ସିଂ, ସୋମନାଥ ଟୁଡୁ, ବିଜୟ ଲେଙ୍କା, ସତ୍ୟଭାମା ସିଂ, ନରୋତମ ଖଣ୍ଡେଇ ପ୍ରମୁଖ ମଞ୍ଚାସୀନ ରହି ସହୀଦ୍ ବିର୍ସାମୁଣ୍ଡାଙ୍କ ଜୀବନୀ କାହାଣୀ ଉପରେ ଆଲୋଚନା କରିଥିଲେ । ରଘୁନାଥ ସିଂ ମଞ୍ଚ ପରିଚାଳନା କରିଥିବା ବେଳେ ମଦନ ମୋହନ ମାଝୀ ସଭାପତିତ୍ୱ କରିଥିଲେ । ଆଦିବାସୀମାନଙ୍କର ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଉପସ୍ଥିତ ଥିଲେ ଯଥା : ସାନ୍ତାଳ, ମୁଣ୍ଡା, ତାମୁଳିଆ ଭୂମିଜ, ହୋ, ବାଥୁଡ଼ି ଜାତିର ଲୋକେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।