ଡାକ୍ତରମାନଙ୍କୁ ଦିଆଯାଉଥିବା ମାଗଣା ଉପହାର ଯୋଗୁଁ ବୃଦ୍ଧି ପାଉଛି ଔଷଧ ମୂଲ୍ୟ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାର ମାଗଣା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଔଷଧ ମୂଲ୍ୟ ବୃଦ୍ଧି କରି ଏଭଳି ଉପହାର ଡାକ୍ତରମାନଙ୍କୁ ଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୂକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୩୭ (୧) ଅନୁଯାୟୀ ଫାର୍ମା କମ୍ପାନୀଗୁଡିକ ଆୟକର ଛାଡରୁ ଏହାର ଲାଭ ଉଠାଇ ପାରିବେ ନାହିଁ ।
ଏହି ମାମଲାର ବିଚାର କରି ଜଷ୍ଟିସ୍ ୟୁୟୁ ଲଲିତଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତର ପ୍ରେସକ୍ରିପସନରେ ଯାହା ବି ଲେଖିଥାନ୍ତି ରୋଗୀ ସେହି ମେଡ଼ିସିନ ହିଁ ଆଣିଥାଏ । ଡାକ୍ତର ଲେଖିଥିବା ଔଷଧ ଦାମୀ ହେଲେ ବି ରୋଗୀ ତାହା କିଣିବାକୁ ଚେଷ୍ଟା କରିଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନରେ ଫାର୍ମା କମ୍ପାନୀଗୁଡିକ ଦ୍ୱାରା ଦିଆଯାଇଥିବା ମାଗଣା ଉପହାର ସହ ଜଡିତ ଥାଏ, ଏହା ଏକ ଚିନ୍ତାର ବିଷୟ ହୋଇଥାଏ । ଫ୍ରୀବି(ଏଲସିଡି ଟିଭି, ସୁନା କଏନ, ଭ୍ରମଣ ଖର୍ଚ୍ଚ ଓ ଅନ୍ୟାନ୍ୟ ଉପହାର) ଇତ୍ୟାଦି ଡାକ୍ତରଙ୍କୁ ଦେଇ ଏହାର ମୂଲ୍ୟ ଔଷଧ ମୂଲ୍ୟ ସହ ଯୋଡିଦିଆଯାଏ ।
ଯାହାଦ୍ୱାରା ରୋଗୀଟିଏ ଅଧିକ ଦାମ ଦେଇ ମେଡ଼ିସିନ କିଣିଥାଏ । ଏହା ସର୍ବସାଧାରଣ ନୀତି ବିରୁଦ୍ଧ ଓ ଏହା ଆଇନ ଦ୍ୱାରା ସ୍ପଷ୍ଟ ଭାବରେ ନିଷେଧ । ଭାରତୀୟ ମେଡିକାଲ୍ କାଉନସିଲ୍ ରେଗୁଲେସନ୍, ୨୦୦୨ ର ଉପ-ନିୟମ ୬.୮ ଅନୁଯାୟୀ, ଡାକ୍ତରମାନଙ୍କୁ ଫାର୍ମା କମ୍ପାନୀଗୁଡିକର ଫ୍ରିବି ଦେବା ଦଣ୍ଡନୀୟ । ତେଣୁ, ଏହି ଉପହାର ଖର୍ଚ୍ଚ କମ୍ପାନୀଗୁଡିକର ଆୟ ଏବଂ ବ୍ୟବସାୟରେ ଯୋଡି ହୋଇପାରିବ ନାହିଁ । କାରଣ, ଏହା ବେଆଇନ କାର୍ଯ୍ୟରେ ବ୍ୟୟ ହୋଇଥାଏ ଏବଂ ବେଆଇନ ବ୍ୟୟ ଆୟକର ରିହାତିରୁ ମୁକ୍ତ ହୋଇପାରିବ ନାହିଁ । ଏହି ନିଷ୍ପତିକୁ ସୁପ୍ରିମକୋର୍ଟରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଚ୍ୟାଲେଞ୍ଜ କରିଥିଲେ ।