ନିଃଶୁଳ୍କ ଅସ୍ଥି ଘନତ୍ୱ ପରୀକ୍ଷା ଓ ଆଣ୍ଠୁଗଣ୍ଠି ବାତ ରୋଗ ଚିକିତ୍ସା ଶିବିର
ବାଲେଶ୍ୱର : ବାଲେଶ୍ୱର ସହରର ଗୋପାଳ ଗାଁର ଯୁବଗୋଷ୍ଠୀଙ୍କ ନେଇ ଗଠିତ ‘ଆମ ଗୋପାଳ ଗାଁ’ ସଂଗଠନ ପକ୍ଷରୁ ଏକ ନିଃଶୁଳ୍କ ଅସ୍ଥି ଘନତ୍ୱ ପରୀକ୍ଷା ଓ ଆଣ୍ଠୁଗଣ୍ଠି ବାତ ରୋଗ ଚିକିତ୍ସା ଶିବିର ସ୍ଥାନୀୟ ବୀର ବଜରଙ୍ଗ ବ୍ୟାୟାମଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋପାଳଗାଁ ନିବାସୀ ତଥା ନିଦାନ ବିଭାଗ ବିଶେଷଜ୍ଞ ଡାକ୍ତର ବିରଂଚି ନାରାୟଣ ମହାନ୍ତି, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀକାନ୍ତ ଜଟାନିଆ ଏବଂ ଫକୀର ମୋହନ ମେଡିକାଲ କଲେଜ ଅସ୍ଥି ଶଲ୍ୟ ବିଭାଗ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସୁରେଶ କୁମାର ପାଲ, ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା, ସାମାଜିକ କାର୍ଯ୍ୟକର୍ତା ଯାଦବେଶ ମିଶ୍ର ପ୍ରମୁଖ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ସଂଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସ୍ଥାନୀୟ ଅଂଚଳ ସମେତ ସମଗ୍ର ବାଲେଶ୍ୱର ସହରର ଗରିବ ତଥା ଅସହାୟ ଲୋକଙ୍କ ଶରୀରରେ କ୍ୟାଲସିଲୟର ମାତ୍ରା ପରୀକ୍ଷା ସହିତ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ସମ୍ପର୍କିତ ଚିକିତ୍ସା ସେବା ପ୍ରଦାନ ପାଇଁ ସଂଗଠନର ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅତିଥିମାନେ କହିଥିଲେ । ତେବେ ଅନ୍ୟାନ୍ୟ ବିଭାଗରେ ମଧ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ନିୟମିତ ଶିବିର ଆୟୋଜନ ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବାକୁ ଆମ ଗୋପାଳ ଗାଁ ସଂଗଠନର କର୍ମକର୍ତ୍ତାଙ୍କୁ ସେମାନେ ପରାମର୍ଶ ଦେଇଥିଲେ ।
ସଂଗଠନର ସଭାପତି ଦିଲ୍ଲୀପ ନାୟକ ଏଥିରେ ପୌରହିତ୍ୱ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସହରର ଗରିବ ଶ୍ରେଣୀର ଲୋକଙ୍କ ନିକଟରେ ଉତମ ଚିକିତ୍ସା ସେବା ପହଂଚାଇବା ଲକ୍ଷରେ ଏହିଭଳି ଶିବିର ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ସମାଜଗଠନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଶ୍ରୀ ନାୟକ କହିଥିଲେ । ପ୍ରମୋଦ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ ପ୍ରଦାନ ପାଇଁ ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଥିବା ସୂଚନା ଦେଇଥିଲେ । ପରେ ଡାକ୍ତର ପାଲ ଆଣ୍ଠୁଗଣ୍ଠି ବାତ ରୋଗ ପିଡିତଙ୍କ ପରୀକ୍ଷା କରି ଚିକିତ୍ସା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ । ଗୋପାଳ ଗାଁ ସହିତ ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି ଶିବିରରେ ନିଜର ଅସ୍ଥି ଘନତ୍ୱ ପରୀକ୍ଷା କରାଇବା ସହ ଡାକ୍ତର ପାଲଙ୍କ ଠାରୁ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ପରାମର୍ଶ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁପ ସ୍ୱାଇଁ, ପ୍ରବୀର ଦାସ, ସପନ ସ୍ୱାଇଁ, ରୁପେଶ ପ୍ରଧାନ, ଶ୍ରୀକାନ୍ତ ବୁଗୁଡାଇ, ନିତ୍ୟାନନ୍ଦ ରାଉତ, ପ୍ରଭାତ ମହାନ୍ତି, ପ୍ରାଣକୃଷ୍ଣ ସେନ, ମନୋରଞ୍ଜନ ଜେନା, ଅବଦୁଲ କାଶିମ ଖାଁ ପ୍ରମୁଖ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।