ଚତୁର୍ଥ ଟେଷ୍ଟ : ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ଟସ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ମ୍ୟାଚରେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହି ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏବେ ପାଞ୍ଚ ଟିକିଆ ଟେଷ୍ଟରେ ଭାରତ ୨-୧ରେ ସିରିଜ ଆଗୁଆ ରହିଛ । ରାଞ୍ଚି ଟେଷ୍ଟ ଜିତିଲେ ଆଗକୁ ସିରିଜ କବଜା କରିବ । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ ୩ଟି ଘରୋଇ ସିରିଜ୍ ଜିତି ନଥିଲା । ସେପଟେ ଇଂଲଣ୍ଡକୁ ଶୃଙ୍ଖଳାରେ ରହିବାକୁ ହେଲେ ଏହି ଟେଷ୍ଟ ଜିତିବା ନହେଲେ ଅମୀମାଂସିତ ରଖିବା ଜରୁରୀ ।
ଗତ ଦୁଇଟି ଟେଷ୍ଟରେ ଲଗାତାର ଦ୍ୱିଶତକ ସହ ଜବରଦସ୍ତ ଫର୍ମରେ ଥିବା ଯୁବ ଓପନର୍ ଯଶସ୍ବୀ ଜୈସୱାଲଙ୍କ ଉପରେ ପୁଣି ସମସ୍ତଙ୍କ ନଜର ରହିବ। ଯଦି ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତୀୟ ଓପନର୍ ଯଶସ୍ବୀ ୧୩୯ ରନ୍ କରନ୍ତି, ତେବେ କମ୍ ଇନିଂସରେ ୧୦୦୦ ରନ୍ ପୂରଣ କରିବାରେ ବିନୋଦ କାମ୍ବଲିଙ୍କ ଭାରତୀୟ ରେକର୍ଡର ସମକକ୍ଷ ହୋଇଯିବେ। ଏଥି ସହିତ ମ୍ୟାଚ୍ ସଂଖ୍ୟା ଦୃଷ୍ଟିରୁ ସେ ମଧ୍ୟ ଭାରତର ଦ୍ରୁତତମ ଏବଂ ଦ୍ୱିତୀୟ ଦ୍ରୁତତମ ଖେଳାଳି ଭାବେ ୧୦୦୦ ରନ୍ ପୂରଣ କରିବେ। ଚତୁର୍ଥ ଟେଷ୍ଟରୁ ଷ୍ଟାର ପେସର ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମୁକେଶ କୁମାର ଖେଳିପାରିନ୍ତି। ଯୁବ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ମଧ୍ୟ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ।
ଚତୁର୍ଥ ଟେଷ୍ଟରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଆହ୍ବାନ ହେବ । ପୂର୍ବ ସିରିଜ ବିଜୟରେ ରହିଥିଲା ବୁମରାଙ୍କ ବଡ଼ ଅବଦାନ । ତେଣୁ ରାଞ୍ଚିରେ ତାଙ୍କ ଅନୁପସ୍ଥିତି ଅନୁଭବ ହେବ । ତାଙ୍କ ସ୍ଥାନରେ ମୁକେଶ କୁମାର ଓ ଆକାଶ ଦୀପଙ୍କ ମଧ୍ୟରୁ କେହି ଜଣେ ଖେଳିପାରନ୍ତି ।ରୋହିତ ଶର୍ମାଙ୍କ ନେତୃତ୍ବରେ ଇନଫର୍ମ ଯଶସ୍ବୀ ଜୟସ୍ବାଲ, ସର୍ ଫରାଜ ଖାନ୍ , ଶୁବମନ ଗିଲଙ୍କ ବ୍ୟାଟରୁ ବଡ଼ ସ୍କୋର ଆଶା କରାଯାଉଛି । ଇଂଲଣ୍ଡ ଲଗାତାର ପରାଜିତ ହେବା ପରେ ଚତୁର୍ଥ ଟେଷ୍ଟରେ ସ୍ବତନ୍ତ୍ର ରଣନୀତି କରିଛି । ଦଳରେ ଦୁଇଟି ପରିବର୍ତ୍ତନ କରିଛି ଇଂଲିଶ ବାହିନୀ । ଦ୍ରୁତ ବୋଲର ଓଲି ରବିନ୍ ସନ୍ ଓ ସ୍ପିନର ସୋଏବ ବଶିରଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି।
ଆଜିର ମ୍ୟାଚରେ ପଦାର୍ପଣ କରିପାରନ୍ତି ଦେବଦତ୍ତ ପାଡ଼ିକଲ: ଚମତ୍କାର ଫର୍ମରେ ରହିଥିବା ଏହି ବାମହାତି ବ୍ୟାଟରଙ୍କୁ ଡେବ୍ୟୁ ସୁଯୋଗ ମିଳିପାରେ । ରଜତ ପାତିଦାର ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ବିଫଳ ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ପାଡ଼ିକଲଙ୍କୁ ସୁଯୋଗ ମିଳିପାରେ । ଅନ୍ୟ ପଟରେ ଦେଖିବାକୁ ଗଲେ ମଧ୍ୟକ୍ରମରେ ରବିନ୍ଦ୍ର ଜାଡେଜା ଏକମାତ୍ର ବାମ ହାତି ବ୍ୟାଟର ରହିଛନ୍ତି । ପାଡ଼ିକଲ ବାମ ହାତି ବ୍ୟାଟର ହୋଇଥିବାରୁ ଇଂଲଣ୍ଡ ସ୍ପିନରଙ୍କ ମୁକାବିଲା କରିବା ସହଜ ହେବ ।
ଡେବ୍ୟୁ ଦୌଡରେ ମୁକେଶ, ଆକାଶଦୀପ: ଭାରତ ଚୂଡ଼ାନ୍ତ ଏକାଦଶ ଘୋଷଣା କରିନଥିଲେ ହେଁ ପୂର୍ବ ଭଳି ୨ପେସ୍ ବୋଲର ନେଇ ଖେଳିବା ଏକ ପ୍ରକାର ନିଶ୍ଚିତ । ଫଳରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମୁକେଶ କୁମାର ଓ ଆକାଶଦୀପଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ଆଜିର ଅଭ୍ୟାସକୁ ଦେଖିଲେ ମୁକେଶ ଏକାଦଶକୁ ଫେରିବା ସମ୍ଭାବନା ଅଧିକ । ନେଟ୍ସରେ ଆଜି ମୁକେଶ ଦୀର୍ଘ ସମୟ ଧରି ବୋଲିଂ କରିଥିଲେ । ମାତ୍ର ଆକାଶ ଦୀପ ଅଧିକାଂଶ ସମୟ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି । ଦଳରୁ ମାର୍କ ଉଡ୍ ଓ ରେହାନ ଅହମ୍ମଦଙ୍କୁ ବାଦ୍ ଦିଆଯାଇଛି । ଏହି ସ୍ଥାନରେ ଓଲି ରବିନସନ ଓ ସୋହେବ ବଶିର ପ୍ରତ୍ୟାବର୍ତ୍ତନ କରିଛନ୍ତି ।