ଡ୍ରାଇଭର ହତ୍ୟା ଘଟଣାରେ ୪ ଗିରଫ
- ମାରଣାସ୍ତ୍ର ସହ ବିଭିନ୍ନ ସାମଗ୍ରୀ ଜବତ
ବାରିପଦା : ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଧାଙ୍ଗିରିମୁତା ନିକଟରେ ଜାତୀୟ ରାଜପଥରେ ଗତ ଅଗଷ୍ଟ ୧୫ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମିଶି ଏକ ଟ୍ରକ୍ର ଡ୍ରାଇଭର ଓ ହେଲପରଙ୍କୁ ମାରପିଟ୍ କରି ଲୁଟ୍ କରିଥିଲେ । ଏଥିରେ ଡ୍ରାଇଭର ଜଣକର ମୃତ୍ୟୁ ହୋଇଥିବାବେଳେ ହେଲପର ଜଣକ କୌଶଳକ୍ରମେ ସେମାନଙ୍କ ଠାରୁ ଖସି ପଳାଇଥିଲେ । ଉକ୍ତ ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ୪ ଜଣଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ।
ଟ୍ରକ ନଂ- (ଏନଏଲ୦୨-୯୩୭୫) ରେ ଗୁଜୁରାଟରୁ କଲିକତା ଯାଉଥିବା ବେଳେ ଚକ ଫାଟି ଯାଇଥିଲା । ଫଳରେ ମରାମତି ପାଇଁ ହେଲପର ନାଗପୁର ମହାରାଷ୍ଟ୍ର ଅଞ୍ଚଳର ଦେବେନ୍ଦ୍ର ସାନ୍ତରାମ କୁମର (୧୯) ଡ୍ରାଇଭର ସହିତ ଚକ ସଜାଡୁଥିଲେ । ଉକ୍ତ ସମୟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ଜଙ୍ଗଲ ପାର୍ଶ୍ୱରୁ ହାତରେ ଲାଠି ଇତ୍ୟାଦି ଧରି ଆସି ହେଲପର ଓ ଡ୍ରାଇଭରଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଭୟଭୀତ ହୋଇ ଡ୍ରାଇଭର ଏବଂ ଅଭିଯୋଗକାରୀ ହେଲପର ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତ ଡ୍ରାଇଭର ମଣ୍ଟୁ ଅଳ୍ପ ଦୂରରେ ପଡ଼ିଯିବାରୁ ପରବର୍ତ୍ତୀ ସମୟରେ ଅପରାଧୀମାନେ ଡ୍ରାଇଭରକୁ ନିଜ କବଳରେ ନେଇ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏନେଇ ଅଗଷ୍ଟ ୧୬ ତାରିଖରେ ହେଲପର ଦେବେନ୍ଦ୍ର ବିଶୋଇ ଥାନାରେ ଏତେଲା ଦେବା ପରେ ବିଶୋଇ ଥାନା ଅଧିକାରୀ ଫନିନ୍ଦ୍ର ନାଏକ କେସ (ନଂ.୧୦୪/୨୧) ମୂଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ପୂର୍ବକ ମାମଲାରେ ବିଭିନ୍ନ ସ୍ଥାନରୁ ଅଜ୍ଞାତ ଅପରାଧୀଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଏହି ମାମଲାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ଏମାନେ ବହୁ ରାଜପଥ ଲୁଟରେ ସାମିଲ ଥିବା ପୋଲିସକୁ ତଥ୍ୟ ମିଳିଥିବା ବେଳେ ସେମାନଙ୍କ ଠାରୁ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ୩ଟି ମୋବାଇଲ, ୨ଟି ଟେପରେକର୍ଡର, ଗୋଟିଏ ଏଲସିଡି ଟିଭି, ୨ଟି ମଟର ସାଇକେଲ, ରାସ୍ତା ରେ ଗାଡି ପଙ୍କଚର କରାଇବା ପାଇଁ ବ୍ୟବହାର କରୁଥିବା ୧୨ଟି ଲୁହାକଣ୍ଟା ଆଦି ଜବଦ କରାଯାଇଥିବା ନେଇ ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।