ସାଢ଼େ ୪ ଘଣ୍ଟା ସମୟ ପାଇଁ ରୋନାଲ୍ଡୋଙ୍କୁ ମିଳିଲା ୯ କୋଟିରୁ ଅଧିକ ଟଙ୍କା
ରିୟାଦ : ସାଉଦି ଆରବର ଏକ କମ୍ପାନି ପର୍ତୁଗାଲ୍ ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହିତ ବିତାଇଥିବା ସାଢେ ୪ ଘଣ୍ଟା ସମୟ ପାଇଁ ତାଙ୍କୁ ୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଡେର୍ ସ୍ପାଇଜେଲ୍ ପ୍ରତିନିଧି ରାଫେଲ୍ ବସ୍କମାନ୍ ଓ ମିଚେଲ୍ ଉଲ୍ଜିଙ୍ଗରଙ୍କ ପୁସ୍ତକ ‘ଫୁଟ୍ବଲ୍ ଲିକ୍ସ’ ରେ ରହିଥିବା ସୂଚନା ଅନୁଯାୟୀ, ୨୦୧୭ ମସିହାରେ ସାଉଦି ଟେଲିକମ୍ ବ୍ୟବସାୟିକ ସଂସ୍ଥା ଓ ରୋନାଲ୍ଡୋଙ୍କ ଆଇରିସ୍ ଇମେଜ୍ ରାଇଟ୍ସ କମ୍ପାନି ‘ମଲ୍ଟି ସ୍ପୋର୍ଟ୍ସ ଆଣ୍ଡ ଇମେଜ୍ ମ୍ୟାନେଜମେଣ୍ଟ’ ମଧ୍ୟରେ ଏକ ବୁଝାମଣା ହୋଇଥିଲା।
ଏହି ବୁଝାମଣା ପରେ ରୋନାଲ୍ଡୋ ଉକ୍ତ କମ୍ପାନି ପାଇଁ ତାଙ୍କର ମୂଲ୍ୟବାନ ସାଢେ ୪ ଘଣ୍ଟା ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ଫଟୋ ସୁଟ୍, ୫ଟି ଅଟ୍ରୋଗ୍ରାଫ୍ ସମ୍ବଳିତ ସାର୍ଟ ଓ ସୋସିଆଲ୍ ମିଡିଆ ଚ୍ୟାନେଲ୍ରେ ଦୁଇଟି ପ୍ଲଗ୍ ବ୍ୟବହାର ପାଇଁ ଧାର୍ଯ୍ୟ ହୋଇଥିଲା। ପରେ ପ୍ରାୟୋଜିତ ପୋଷ୍ଟିଂ ପିଛା ରୋନାଲ୍ଡୋ ପାଖାପାଖି ୧.୬ ମିଲିଅନ୍ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୧୫ କୋଟି ୯୮ ଲକ୍ଷ ଟଙ୍କା) ଆୟ କରିଥିଲେ। ତେବେ ଉକ୍ତ ସାଢେ ୪ ଘଣ୍ଟା ସମୟ ପାଇଁ ରୋନାଲ୍ଡୋଙ୍କ ପ୍ରତିନିଧି ସଂପୃକ୍ତ ସାଉଦି କମ୍ପାନିଠାରୁ ୯ ଲକ୍ଷ ୨୦ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ୯ କୋଟି ୧୯ ଲକ୍ଷ ୫୧ ହଜାର ଟଙ୍କା) ଦାବି କରିଥିଲେ। ସୁଟିଂ ଦିନ କମ୍ପାନି ସେହି ଫଟୋକୁ ବ୍ୟବହାର କରିବାକୁ ଅନୁମତି ଥିଲା। କିନ୍ତୁ ତାହା ଏକ ଆଞ୍ଚଳିକ କମ୍ପାନି ହୋଇଥିବାରୁ ବିଜ୍ଞାପନଗୁଡ଼ିକ କେବଳ ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକା ଦେଶଗୁଡ଼ିକ ଭିତରେ ସୀମିତ ରହିଥିଲା। ତେବେ ବିଶ୍ବର ଜଣେ ବଡ଼ ନାମୀ ତାରକାଙ୍କୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ କେତେ ଖର୍ଚ୍ଚାନ୍ତ ହେବାକୁ ପଡ଼େ ତାହା ଉକ୍ତ ପୁସ୍ତକରେ ଉଲ୍ଲେଖ କରାଯାଇଥିବା ସୂଚନା ଦିଆଯାଇଛି।