ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ରାଜନୈତିକ ଜଗତରେ ଶୋକର ଛାୟା
ଭୁବନେଶ୍ୱର : ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି । ଭୁବନେଶ୍ୱରରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମହେଶ୍ୱର ମହାନ୍ତି। ରାତି ୩ଟା ୨୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ପୁରା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଗତ ନଭେମ୍ବର ୧ ତାରିଖରୁ ଅସୁସ୍ଥ ଥିଲେ ମହେଶ୍ୱର ମହାନ୍ତି । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଶେଷରେ ବୁଧବାର ଭୋର ୩ ଟା ୨୫ ମିନିଟରେ ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ତେବେ ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ମହେଶ୍ୱର ମହାନ୍ତି । ଏପିରିକି ପୁରୀ ବିଧାନସଭା କ୍ଷେତ୍ରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୫ରୁ ୨୦୧୪ ଯାଏଁ ପୁରୀରୁ ପ୍ରତିନିଧିତ୍ବ କରିଥିଲେ । ସେହିପରି ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ନବୀନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ଯୋଜନା ଆଣିଥିଲେ । ସେପଟେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ପୁରା ପୁରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖାସ୍ କରି ପରିବାର ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମହେଶ୍ୱର ମହାନ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି ।
ସୂଚନା ଯେ, ୧୯୫୬ ମସିହା ଫେବ୍ରୁଆରୀ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ମହେଶ୍ବର ମହାନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ରାଜନୀତିରେ ପାଦ ଦେବା ପରେ ସେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୧୯ ଯାଏଁ ସେ ବିଧାୟକ ଥିଲେ । ଥରେ ସେ ଜନତା ଦଳ ଟିକେଟରେ ଓ ଲଗାତର ଚାରିଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମହେଶ୍ୱର ମହାନ୍ତି। ବିଜେଡି ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୮ ମସିହା ଯାଏଁ ବିଧାନସଭାର ବାଚସ୍ପତି ଥିଲେ ମହେଶ୍ୱର ମହାନ୍ତି।