ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମରଣୀୟ ଉପହାର ଦେଇ ଚର୍ଚ୍ଚାରେ ଉର୍ବଶୀ
ନୂଆଦିଲ୍ଲୀ : ନିଜ ଷ୍ଟାଇଲ, ଲୁକ ଓ ଆକର୍ଷଣୀୟ ପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । କିନ୍ତୁ ବର୍ତ୍ତମାନ ସେ ତାଙ୍କ ଡ୍ରେସ୍ ପାଇଁ ନୁହେଁ ବରଂ ଏକ ସ୍ମରଣୀୟ ଉପହାର ଭେଟି କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଉର୍ବଶୀ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ । ଏହି ସାକ୍ଷାତକାରରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ପବିତ୍ର ଗ୍ରନ୍ଥ ‘ଭଗବତ ଗୀତା’ ଉପହାରରେ ଭେଟି ଦେଇଥିଲେ । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି ।
ଅଭିନେତ୍ରୀ ଏହି ସ୍ମରଣୀୟ ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହା ସହ ସେ ସୋସିଆଲ ମିଡିଆରେ ନେତନ୍ୟାହୁଙ୍କ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର କରି ଉର୍ବଶୀ ଲେଖିଛନ୍ତି- ‘ମୋତେ ଏବଂ ମୋ ପରିବାରକୁ ନିମନ୍ତ୍ରଣ କରିଥିବାରୁ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । #RoyalWelcome ।’ ସେ ଆହୁରି ମଧ୍ୟ ଲେଖିଛନ୍ତି’ ମୋର ଭଗବଦ୍ ଗୀତା: ଯେତେବେଳେ ହୃଦୟରୁ ଜଣେ ବ୍ୟକ୍ତିଙ୍କୁ ସଠିକ୍ ସମୟରେ ଏବଂ ସଠିକ୍ ସ୍ଥାନରେ ଉପହାର ଦିଆଯାଏ ଏବଂ ପ୍ରତିବଦଳରେ ଅନ୍ୟ କିଛି ଆଶା କରାଯାଏ ନାହିଁ, ସେହି ଉପହାରଟି ସର୍ବଦା ଶୁଦ୍ଧ ଓ ଶ୍ରେଷ୍ଠ ହୋଇଥାଏ । ସୂଚନା ଯେ, ମିସ୍ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ବିଚାରପତି ଭାବରେ ତାଙ୍କୁ ଇସ୍ରାଏଲକୁ ନିମନ୍ତ୍ରଣ କରାଯାଇଥିଲା । ୨୦୧୫ ରେ ଉର୍ବଶୀ ଭାରତରୁ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ପ୍ରତିନିଧିତ୍ୱ କରିଥିଲେ । ବର୍ତ୍ତମାନ ସେ ପୁନର୍ବାର ବିଚାରପତି ଭାବରେ ମିସ୍ ୟୁନିଭର୍ସର ୭୦ ତମ ସଂସ୍କରଣରେ ଯୋଗ ଦେଇଥିଲେ ।