ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
ନୂଆଦିଲ୍ଲୀ: ହଠାତ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଛି । ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି ବୋଲି କୁହାଯାଇଛି । ଦିଲ୍ଲୀ ଏମ୍ସର କାର୍ଡିଓ ବିଭାଗରେ ତାଙ୍କୁ ଭର୍ତି କରାଯାଇଛି । ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଛି ।
ସୂଚନା ଥାଉ କି ଚଳିତ ବର୍ଷ ଏପ୍ରିଲରେ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ପରେ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ମାର୍ଚ୍ଚ ୪ ଏବଂ ଏପ୍ରିଲ ୩ ରେ ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ଟିକା ନେଇଥିଲେ । ଗତ ବର୍ଷ ମନମୋହନ ସିଂ ଏକ ଔଷଧ ସେବନ ଯୋଗୁଁ ଜ୍ୱର ହେବା ପରେ ମଧ୍ୟ ଏମ୍ସରେ ଭର୍ତି ହୋଇଥିଲେ । ଅନେକ ଦିନର ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ୨୦୦୯ ରେ ଏମ୍ସରେ ତାଙ୍କର ହାର୍ଟ ବାଇପାସ୍ ସର୍ଜରୀ କରାଯାଇଥିଲା । ମନମୋହନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ବର୍ତମାନ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି ।