ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା
ଭୁବନେଶ୍ୱର : ବିଜେଡ଼ିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଉପସ୍ଥିତିରେ ସମର୍ଥକମାନଙ୍କ ସହିତ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏଥିସହ କୋରାପୁଟ ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଶ୍ରୀ କୁଲେସିକା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଲକ୍ଷ୍ମୀପୁରରୁ ବିଧାୟକ ଥିବାବେଳେ ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ ।
ସୂଚନା ମୁତାବକ ପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ଦଳ ଛାଡି ବିଜେଡିରେ ମିଶିଥିବାବେଳେ ଆଜି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଅଶୁଭ ସଙ୍କେତ ପରି ମନେ ହେଉଛି। କିଛିଦିନ ହେଲା କୈଳାଶ-ମୀନାକ୍ଷୀ-ତାରାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲୁ ରହିଥିଲା। ଏକଥା ନେଇ ପିସିସି ସଭାପତିଙ୍କ ନିକଟରେ ପହଞ୍ଚିବା ଓ ଓଡ଼ିଶା ପ୍ରଭାରୀଙ୍କ ହସ୍ତକ୍ଷେପ ପରେ ସବୁ ତୁଟିଥିଲା। ମୀନାକ୍ଷୀଙ୍କ ନେତୃତ୍ବକୁ ମାନିବାକୁ କୈଳାଶ ରାଜି ନ ଥିବାବେଳେ ଦଳରେ ଅନ୍ତଃଘାତୀ କାର୍ଯ୍ୟ କଥା ସେ ସବୁବେଳେ କହି ଆସୁଥିଲେ । ଆଉ ଆଜି ଶେଷରେ ସେ ହାତ ଛାଡି ଶଙ୍ଖ ଧରିଛନ୍ତି ।