ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର: ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଦୋଷୀ ସାବ୍ୟସ୍ତ । ଛତିଶଗଡ଼ର ରାୟଗଡ଼ ଅତିରିକ୍ତ ଜିଲା ଦୌରା ଜଜ୍ ଏହି ମାମଲାର ଶୁଣାଣି କରିବା ସହ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ହୋଇଥିବା ଡବଲ୍ ମର୍ଡର ମାମଲାରେ ଅନୁପଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଛି । ପ୍ରଥମରୁ ରାୟ ଅନୁପଙ୍କ ସପକ୍ଷରେ ଯିବ ନା ସେ ଦୋଷୀ ସାବ୍ୟସ୍ତ ହେବେ ସେନେଇ ଜାରି ରହିଥିଲା କଳ୍ପନା ଜଳ୍ପନା । ହେଲେ ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ଟାଣି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ତେବେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁପ ହାଇକୋର୍ଟ ଯିବେ ବୋଲି ସୂଚନା ମିଳିଛି । ପୂ୍ର୍ବରୁ ଅନୁପ ସାଏଙ୍କ ସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ୨୦୨୦ ଫେବ୍ରୁଆରୀରୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । କଳ୍ପନା ଓ ତାଙ୍କ ଝିଅ ହତ୍ୟା ମାମଲାରେ ରାୟଗଡ଼ ଜେଏମଏଫସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ୍ ଯାଇଥିଲେ । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ଅନୁପ ।
ଜଙ୍ଗଲ ରାସ୍ତାରେ ଲୁହା ରଡରେ ୨ ଜଣଙ୍କୁ ହତ୍ୟା କରି ଗାଡ଼ି ଚଢ଼ାଇ ଦେଇଥିବା ମାନିଥିଲେ । ଯେଉଁଥିରେ ତାଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋ ମଧ୍ୟ ସାମିଲ ଥିଲା । ମୃତା କଳ୍ପନା ଦାସ ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଏହାପରେ ନାବାଳିକା ଝିଅକୁ ନେଇ ଅନୁପଙ୍କ ପାଖକୁ ଯାଇଥିଲେ, ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଉଭୟ ଲିଭଇନରେ ରହୁଥିଲେ । ଏପରି ୫ବର୍ଷ ରହିବା ପରେ କଳ୍ପନା ବିବାହ କରିବାକୁ କହିଥିଲେ । ନିଜ ପରିବାର ଥିବାରୁ ଅନୁପ, କଳ୍ପନାଙ୍କୁ ବାହା ହେବାକୁ ମନା କରିବାକୁ ଝଡ଼ ସୃଷ୍ଟି ହୋଇଥିଲା । ଯାହାକୁ ନେଇ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଅନୁପ । ଏସବୁ ପରେ ବିବାହ କରିବାକୁ କହି ଜଙ୍ଗଲ ରାସ୍ତାରେ ଲୁହା ରଡ୍ ରେ ୨ ଜଣଙ୍କୁ ହତ୍ୟା କରି ତାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ।
ରାୟଗଡ଼ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହୋଇଥିଲା ତଦନ୍ତ । ଜଙ୍ଗଲରୁ ମୃତଦେହ ଉଦ୍ଧାରର ପ୍ରାୟ ବର୍ଷେ ପରେ ପରିଚୟ ମିଳିଥିଲା । ଏହାପରେ ୬ ରାଜ୍ୟ, ୭ଶହ ଲୋକଙ୍କୁ ଜେରା କରାଯାଇଛି । ଅନୁପଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା । ପରେ ଅନୁପଙ୍କର ନାର୍କୋ ଟେଷ୍ଟ ମଧ୍ୟ କରାଯାଇଥିଲା ।