ବିଜେଡିରୁ ଇସ୍ତଫା ଦେଲେ ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ
ଭୁବନେଶ୍ୱର : ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି । ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ଶ୍ରୀ ସାହୁ ବିଜେଡି ଛାଡିବା ନେଇ କୌଣସି କାରଣ ଲେଖିନାହାଁନ୍ତି ।
ସୂଚନାଯୋଗ୍ୟ ସଞ୍ଜୀବ ସାହୁ ବିଜେଡିରୁ ୪ ଥର ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୦୦୩ ବୀରମହାରାଜପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବୈଷ୍ଣବ ପ୍ରଧାନଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ପରାସ୍ତ କରିଥିଲେ । ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବୀରମହାରାଜପୁର ଟିକେଟ୍ ଦେଇଥିଲା । ଏହି ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ କାର୍ତିକ ପ୍ରସାଦ ତରିଆଙ୍କୁ ପରାସ୍ତ କରି ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ।୨୦୦୪ରେ ସଂଜୀବ ସାହୁ ବିଜ୍ଞାନ, କାରିଗର, ମାଧ୍ୟମିକ ଶିକ୍ଷା ଓ ବାଣିଜ୍ୟ ଏବଂ ପରିବହନ ବିଭାଗରେ ମନ୍ତ୍ରୀ ପଦ ପାଇଥିଲେ । ୨୦୦୯ ଓ ୨୦୧୪ରେ ସେ ଆଠମଲ୍ଲିକ ଆସନରୁ ଲଢି ବିଜୟୀ ହୋଇଥିଲେ । ହେଲେ ବିଜେଡି ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ଆଉ ଆଜି ସେ ଦଳର ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।