କଂଗ୍ରେସକୁ ବଡ଼ ଝଟ୍କା, ଦଳରୁ ହାତ ଛାଡ଼ିଲେ ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର
ଚଣ୍ଡିଗଡ଼ : ଆଗକୁ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ ଇସ୍ତଫା ଦେବା ପରେ ଅଶ୍ୱିନୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଟୁଇଟ କରି କହିଛନ୍ତି ଏହା ଏକ ସହଜ ନିଷ୍ପତ୍ତି ନୁହେଁ । କିନ୍ତୁ ନିଜର ସମ୍ମାନ ଓ ଅସ୍ତିତ୍ୱକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି।
ଦଳର ନେତୃତ୍ୱ ଭାବିବା ଉଚିତ୍ ଯେ, ଦଳର ବିଶ୍ୱସ୍ତ ଲୋକମାନେ କାହିଁକି ଦଳକୁ ଧୀରେ ଧୀରେ ବିଦାୟ ଦେଉଛନ୍ତି। ମୁଁ ମୋର ସମ୍ମାନ ଏବଂ ଅସ୍ତିତ୍ୱକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି, ମୋର କାନ୍ଧ ଏତେ ଶକ୍ତିଶାଳୀ ନୁହେଁ ଯେ, ଏଭଳି ଉଦାସୀନତାର ଭାର ବହନ କରିପାରିବ।କଂଗ୍ରେସ ଆଉ ପୂର୍ବ ଭଳି ଦଳ ନାହିଁ। ଆଗାମୀ ଦିନରେ କଂଗ୍ରେସ ଦଳର ରାଜନୈତିକ ଭୂମିକା ଆହୁରି ହ୍ରାସ ପାଇବ।