ପରଲୋକରେ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ । ୮୮ ବର୍ଷ ବୟସରେ ଆଖି ବୁଜିଲେ କୋନିଜେତି ରୋସାଇଆ । ସେ ୩ ସେପ୍ଟେମ୍ବର ୨୦୦୯ରୁ ନଭେମ୍ବର ୨୪, ୨୦୧୦ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ । ସେ ଦୁଇମାସ ପାଇଁ କର୍ଣ୍ଣାଟକର ରାଜ୍ୟପାଳ ଏବଂ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ତାମିଲନାଡୁର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇଥିଲେ। ଦୀର୍ଘ ରାଜନୈତିକ କ୍ୟାରିୟରରେ ରୋସାଇଆ ଅନେକ ଥର କଂଗ୍ରେସ ଏମଏଲସି, ଏମଏଲଏ ଏବଂ ଏମପି ହୋଇଥିଲେ । ସେ ବିଧାନସଭାରେ ୧୫ଟି ବଜେଟ ଉପସ୍ଥାପନ କରି ଏକ ରେକର୍ଡ ମଧ୍ୟ କରିଥିଲେ।
ସୂଚନା ଯେ, ସ୍ନାୟୂ ଚଳାଚଳ ଠିକ ଭାବରେ ନ ହେବାରୁ ରୋସାଇଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ୱାଇଏସ ରାଜଶେଖର ରେଡ୍ଡି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିବା ରୋସାଇଆ ୧୯୬୮ ମସିହାରେ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ସଦସ୍ୟ ଭାବରେ ଯାତ୍ରା ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ୱାଇଏସ ରୋସାଇଆଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।