ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଝଟକା
କଟକ : ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ଅଡୁଆ ବଢିଲା । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମାଲରୁ ତାଙ୍କ ବାଦ୍ ଦେବା ପାଇଁ ସେ କରିଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ୍ କରିଦେଇଛନ୍ତି । ତେଣୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସେ ବିଚାରର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଯେ, ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମାଲରୁ ତାଙ୍କୁ ବାଦ୍ ଦେବା ଲାଗି ଭୁବନେଶ୍ୱର ସିବିଆଇ କୋର୍ଟରେ ଶ୍ରୀ ମହାନ୍ତି ଡିସ୍ଚାର୍ଜ ପିଟିସନ ଦାୟର କରିଥିଲେ । ସିବିଆଇ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଥିଲେ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ୨୦୧୮ରୁ ସ୍ଥଗିତାଦେଶ ଯୋଗୁ ସିବିଆଇ କୋର୍ଟରେ ମୂଳ ମାମଲାର ଶୁଣାଣି ହୋଇପାରୁନଥିଲା । ଏହି ପ୍ରସଙ୍ଗରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟରେ ୨୦୧୮ରୁ ପଡିରହିଥିବା ଅଶୋକଙ୍କ ଆବେଦନର ତ୍ୱରିତ୍ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ତ୍ୱରିତ ଶୁଣାଣି ନ ହୋଇପାରିଲେ ଅନ୍ତରୀଣ ସ୍ଥାଗିତାଦେଶ ହଟାଇବାକୁ ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ । ଏହାପରେ ଶ୍ରୀ ମହାନ୍ତିଙ୍କ ଆବେଦନକୁ ହାଇକୋର୍ଟ ଶୁଣାଣି କରି ଆଜି ଡିସଚାର୍ଜ ପିଟିସନ ଖାରଜ କରିଛନ୍ତି । ଏଥିସହ ମୂଳ ମାମଲାର ନିୟମିତ ଶୁଣାଣି କରି ଏକ ବର୍ଷ ମଧ୍ୟରେ ଫଇସଲା କରିବାକୁ ଭୁବନେଶ୍ୱର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।