ଜଳସୋହରିଆରେ ବନ ବିଭାଗର ଚଢ଼ାଉ : ୧୧୧ କଇଁଛ ଉଦ୍ଧାର, ବେପାରୀ ଗିରଫ
ଭୋଗରାଇ: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆରେ ବନ ବିଭାଗର ଚଢ଼ାଉ । ଅଚାନକ ଚଢ଼ାଉ କରି ବନ ବିଭାଗ ୧୧୧ଟି କଇଁଛ ଉଦ୍ଧାର କରିଥିବା ବେଳେ ବେପାରୀ ଗୌରାଙ୍ଗ ମଣ୍ଡଳ (୬୦)ଙ୍କୁ ଗିରଫ କରିଛି। ଏନେଇ ଓଆର କେସ (ନଂ. ୪୯।୨୨-୨୩)ରେ ମାମଲା ରୁଜୁ ହୋଇଥିବା ନେଇ ଜଳେଶ୍ଵର ରେଞ୍ଜ ଅଧିକାରିଣୀ ଜୟଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।
ସୂଚନା ଯେ, ଗତ ଶନିବାର ଜଣେ ବେପାରୀ ବସରେ କିଛି କଇଁଛ ନେଇ ଯାଉଥିବାବେଳେ ବନ ବିଭାଗ ହାତରେ ଧାରାପଡିଥିଲେ। ତାଙ୍କ ଠାରୁ ଖବର ପାଇ ରେଞ୍ଜ ଅଧିକାରିଣୀ ସଦଳବଳେ ରବିବାର ଜଳସୋହରିଆ ଗାଁରେ ଚଢାଉ କରିଥିଲେ। ଚଢାଉରେ ଗୌରାଙ୍ଗଙ୍କ ଘରୁ ୧୧୧ଟି କଇଁଛ ଜବତ ହୋଇଥିଲା। କଇଁଛ ସବୁକୁ ସେ ଘର ଭିତରେ ଜାଲ ଘେରାଇ ରଖିଥିଲେ। କଇଁଛ ସବୁର ଓଜନ ୧କିଲୋରୁ ୫କିଲୋ ମଧ୍ୟରେ ହେବ। ଏହା ଇଣ୍ଡିଆନ ସଫ୍ଟ ସେଲ୍ଡ ପ୍ରଜାତିର। ସାଧାରଣତଃ ଉକ୍ତ କଇଁଛ ଏହି ଅଞ୍ଚଳରେ ବିରଳ ବୋଲି ରେଞ୍ଜ ଅଧିକାରିଣୀ କହନ୍ତି। ଚଢାଉରେ ବନପାଳ ଭକ୍ତିଲତା ଦାସ, ଫରେଷ୍ଟ ଗାର୍ଡ ମନୋହର ସିଂ, ଦିଲ୍ଲୀପ ସିଂ, ସଞ୍ଜୟ ମହାନ୍ତି, ମିନତୀ ମାଝୀ, ରଞ୍ଜିତା ବିଶ୍ବାଳଙ୍କ ସମେତ ଉଦୟପୁର, ବରଡିହା ଓ ଜଳେଶ୍ୱର ସେକ୍ସନର ବିଭାଗୀୟ କର୍ମଚାରୀ ସାମିଲ ଥିଲେ।