ଲଗାତାର ଦ୍ୱିତୀୟ ଦିନ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ
ନୂଆଦିଲ୍ଲୀ : ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ବୁଧବାର ଦ୍ୱିତୀୟ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ବେଳେ ପୁଣି ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି । ଫଳରେ ଦୁଇ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୧ଟଙ୍କା ୬୦ରୁ ୭୫ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।
ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା । ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ । ଆଶା କରାଯାଉଥିଲା ଖୁଚୁରା ଉପଭୋକ୍ତା ମୂଲ୍ୟ ସୂଚୀରେ ହୁଏତ ସେଭଳି ପରିବର୍ତନ ହୋଇ ନପାରେ । ହେଲେ ତୈଳ କମ୍ପାନୀମାନେ ଏବେ ସେମାନଙ୍କର ଚିରାଚରିତ ଦିନିକା ମୂଲ୍ୟ ସୁଧାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଫଳରେ ଖାଉଟି ଏବେ ଦୋହରା ମହଙ୍ଗା ମାଡ଼ର ଶିକାର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ମୂଲ୍ୟବୃଦ୍ଧି ବୁଧବାର ସାରା ଦେଶରେ ଲାଗୁ ହୋଇଯାଇଛି । ଫଳରେ ରାଜଧାନୀ ଦିଲ୍ଲୀ ସମେତ କୋଲକାତା, ମୁମ୍ବାଇ ଓ ଚେନ୍ନାଇ ମହାନଗର ଓ ଅନ୍ୟ ସହରାଂଚଳ ମାନଙ୍କରେ ବର୍ଦ୍ଧିତ ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଆରମ୍ଭ ହୋଇଛି ।
ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ବୁଧବାର ୯୭ଟଙ୍କା ୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୮ଟଙ୍କା ୨୭ ପଇସା ଦରରେ ବିକ୍ରି ହେଉଛି । ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୧ଟଙ୍କା ୬୭ ପଇସାକୁ ପହଂଚିଥିବା ବେଳେ ଡିଜେଲ ୯୫ଟଙ୍କା ୮୫ ପଇସା ଦରରେ କାରବାର ହେଉଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୪ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୧ ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୯୧ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୨ ଟଙ୍କା ୯୫ ପଇସାରେ ବିକ୍ରି ହେଉଛି । ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୩ଟଙ୍କା ୮୧ ପଇସା ଦରରେ କାରବାର ହେଉଥିବା ବେଳେ ଡିଜେଲ ୯୩ ଟଙ୍କା ୬୧ ପଇସାରେ ବିକ୍ରି ହେଉଛି ।