ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶପଥ ଜଗିବ ପୋଲିସ ! ପଂଚସ୍ତରୀୟ ସୁରକ୍ଷା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା
ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରାୟ ୧୫ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେବେ । ଏଥିପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ପୋଲିସ ସୁରକ୍ଷା ସମ୍ପର୍କରେ ଆଜି ଟାଉନହଲ ଠାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପୋଲିସ ଡ଼ିଜି ସୁନୀଲ ବଂଶଲ ଅଧ୍ୟକ୍ଷତା କରି କହିଲେ ରାଜ୍ୟ ପୋଲିସ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବା ଯୋଗାଇ ଦେବା ପାଇଁ ଗୁରୁତ୍ୱ ଦେବ । ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ କରାଯାଇଛି । କଂଟ୍ରୋଲ ରୁମ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରାଯିବ । ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚାଯାତ୍ରା, ସଂଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯିବ । ଆଇଜି ଅମିତାଭ ଠାକୁର ଟ୍ରାଫିକ ପରିଚାଳନା ଦାୟୀତ୍ୱରେ ରହିଛନ୍ତି । ପାଂଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ।
ସୁରକ୍ଷା ବ୍ୟବସ୍ଥାରେ ୧୮୦ ପ୍ଲାଟନ ପୋଲିସ ମୁତୟନ ହେବେ । ଟେକ୍ନନିକାଲ ୟୁନିଟ୍ ,ବମ୍ ଡ଼ିସ୍ପୋଜାଲ ସ୍କ୍ୱାର୍ଡ଼, ତଟ ସୁରକ୍ଷା ବାହିନୀ,ଗୋଇନ୍ଦା ପୋଲିସ, ଡ଼ଗ୍ ସ୍କ୍ୱାର୍ଡ଼, ହାଇପାୱାର ସ୍କାନର ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମନ୍ଦିର ଭିତର,ବାହାର,ସହର ଭିତର ଓ ସହର ବାହାର ସମେତ ସମୁଦ୍ରତଟ ପୋଲିସ ଜଗିବ । ସ୍ୱତନ୍ତ୍ର ହାଇପାୱାର ବାଇନାକୁଲାର ଦ୍ୱାରା ଆକାଶପଥ ଓ ଜଳପଥକୁ ନିରୀକ୍ଷଣ କରାଯିବ । ବଡ଼ଦାଣ୍ଡକୁ ୧୦ଟି ଜୋନ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇ ପୋଲିସ ମୁତୟନ ହେବେ । ଟ୍ରାଫିକ ବ୍ୟବସ୍ଥାକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନବଯୌବନ ଦର୍ଶନ ,ଉଭାଯାତ୍ର ଓ ଶ୍ରୀଗୁଣ୍ଡିଚା ଯାତ୍ରା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ଦର୍ଶନ ଓ ବାହୁଡ଼ା ଯାତ୍ରା । ତୃତୀୟ ପର୍ଯ୍ୟାୟରେ ସୁନାବେଶ ଓ ନିଳାଦ୍ରି ବିଜେ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ହୋଇଛି । ଟ୍ରାଫିକ ବ୍ୟବସ୍ଥାକୁ ସିସିଟିଭି ଦ୍ୱାର ଡ଼ିଜିଟାଲ ରୁଟ ପ୍ଲାନ ଦ୍ୱାରା ନିୟନ୍ତ୍ରିତ କରାଯିବ । ସହରରେ ୮ଟି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଯାନବାହାନ , ମାଳତିପାଟପୁର ଓ ତାଳବଣିଆରେ ରହିବେ । ବ୍ରହ୍ମଗିରି ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଜଗନ୍ନାଥବଲ୍ଲଭ ,ବ୍ଲୁ ଫ୍ଲାଗ୍ ,ନୀଳାଚଳ ଅଶୋକ ଓ ଯାତ୍ରୀକାରେ ପାର୍କିଂ କରିବେ । ପହଣ୍ଡି,ରଥଟଣା, ଜନଗଂଳି ନିୟନ୍ତ୍ରଣ, ଭିଆଇପି ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପାଇଁ ଅଭିଜ୍ଞ ହଜାରେ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବୈଠକରେ ଆଇଜି,ଆର.କେ.ଶର୍ମା,ନରସିଂହ ଭୋଳ,ଏସପି କେ.ବିଶାଲ ସିଂହ, ରେଲବାଇ ଏଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ,ଉମାଶଙ୍କର ଦାଶ,ସତ୍ୟପ୍ରିୟ ଭୋଇ,ଦେବଦତ ସିଂହ,ସଞ୍ଜୀବ ପଣ୍ଡା,ଜୟନାରାୟଣ ପଙ୍କଜ, ଅନିରୁଦ୍ଧ ସିଂହ, ସ୍ପେଶାଲ ବ୍ରାଂଚ ଡ଼ିଆଇଜି ଅନନ୍ତ କୁମାର ସାହୁ,ରେଳ ସୁରକ୍ଷା ଡ଼ିଆଇଜି ପି.ଭି.ଏସ ସାନ୍ତାରାମ ପ୍ରମୁଖ ଉପସ୍ଥିତ ଥିଲେ ।