ପ୍ରଥମ ଥର ଅଷ୍ଟମ ଓ ନବମ ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା
ଭୁବନେଶ୍ୱର : ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଏବଂ ମେଧାବୀଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । କରୋନା ଲାଗି ରାଜ୍ୟରେ ୨ବର୍ଷ ହେବ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯେଉଁ ଗ୍ୟାପ୍ ସୃଷ୍ଟି ହୋଇଛି ତାହାକୁ ଭରଣ କରିବା ଲାଗି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏଣିକି ଦଶମ ଶ୍ରେଣୀରେ ମେଧାବୀଙ୍କ ଲାଗି ସରକାର ଯୋଗାଇବେ ଅନେକ ସୁବିଧାସୁଯୋଗ । ତେବେ ଦୁର୍ବଳ ପିଲାଙ୍କୁ ଦଶମ ଶ୍ରେଣୀରେ ସ୍ୱତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଲଗାତାର ୨ବର୍ଷ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା । ଏହି ମେଧା ତାଲିକାରେ ଯେତେ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପାଠପଢ଼ା ଲାଗି ସମସ୍ତ ସୁବିଧା ସୁଯୋଗ ସମ୍ପୃକ୍ତ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯିବ ।
ତେବେ ଦୈନିକ ସ୍କୁଲରେ କମନ୍ ଶିକ୍ଷାଦାନ ଶେଷ ହେବା ପରେ ଦୁର୍ବଳ ପିଲାଙ୍କ ଲାଗି ଏବଂ ମେଧା ତାଲିକାରେ ଥିବା ପିଲାଙ୍କ ଲାଗି ଭିନ୍ନ ଭିନ୍ନ କ୍ଲାସ ହେବ । ଦୈନିକ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ପାଇଁ ୯୦ମିନିଟ୍ ଧାର୍ଯ୍ୟ କରାଯିବ । ତେବେ ମେଧା ତାଲିକାରେ ଥିବା ପିଲାଙ୍କୁ ଏକ୍ସଟ୍ରା ପାଠପଢ଼ା ସହିତ ପରୀକ୍ଷା ପୂର୍ବରୁ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେନେଇ ଏଭଳି ଅଭନବ ପ୍ରୟାସ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଅଷ୍ଟମ ଶ୍ରେଣୀ ୩୩୦୭ଟି ଏବଂ ୨୬୮୨ଟି ସେକେଣ୍ଡାରୀ ସ୍କୁଲ ରହିଛି । ତେବେ ଅଷ୍ଟମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨୨ଲକ୍ଷ ୨ହଜାର ଥିବା ବେଳେ ନବମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ଜଣ । ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ପ୍ରତିଶତରୁ ଅଧିକ ମାର୍କ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ ।
ଜିଲ୍ଲାୱାରୀ ଏବଂ ବ୍ଲକୱାରୀ ତାଲିକା ପ୍ରସ୍ତତ କରିବାରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସହାୟତା କରିବେ । ଦଶମରେ ଯେଉଁ ସବୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ସେହି ମେଧା ତାଲିକାରେ ଥିବା ପିଲାଙ୍କର ଭିନ୍ନ ତାଲିକା କରାଯିବ । ଏପରିକି ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୫୫ଜଣ ଛାତ୍ରଛାତ୍ରୀ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମେଧା ତାଲିକାରେ ଥିବା ପିଲାଙ୍କୁ ସବୁ ଶ୍ରେଣୀରେ ସମାନ ଭାବେ ରଖାଯିବ । ପ୍ରତ୍ୟେକ ଜିଲ୍ଲାରେ ଥିବା ହାଇସ୍କୁଲଗୁଡିକରେ ଦଶମରେ ଯେତେଜଣ ଛାତ୍ରଛାତ୍ରୀ ମେଧା ତାଲିକାରେ ରହିବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ପାଖକୁ ପଠାଯିବ ।
ଏହାବ୍ୟତୀତ ସମ୍ପୃକ୍ତ ମେଧା ତାଲିକାରେ ଯେଉଁ ସବୁ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପ୍ରତି ବିଷୟରେ କେଉଁ ପିଲାର କେତେ ମାର୍କ ରହିଛି ତାହା ମଧ୍ୟ ଦର୍ଶାଯିବ । ସ୍କୁଲଗୁଡିକରେ ଯେଉଁ ମେଧା ତାଲିକା ପ୍ରସ୍ତୁତ କରାଯିବ ସେଥିରେ ସର୍ବାଧିକ ମାର୍କ ରଖିଥିବା ପିଲାଙ୍କୁ କ୍ରମିକ ଭାବେ ତାଲିକାଭୁକ୍ତ କରାଯିବ । ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁ ପିଲାମାନେ ଆର୍ôଥକ ଅନଗ୍ରସର ଏବଂ କେଉଁମାନେ ବିପିଏଲ୍ ବର୍ଗର ଏବଂ କେଉଁ ପିଲାର ପିତା କିମ୍ବା ମାତାଙ୍କର ମୃତ୍ୟୁ ଘଟିଛି ସେ ସବୁକୁ ନଜର ଦେଇ ମଧ୍ୟ ସ୍ୱତନ୍ତ୍ର ତାଲିକା ହେବ । ଫଳରେ ସେହି ମେଧାବୀ ପିଲାଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ଦଶମ ପରୀକ୍ଷା ଲାଗି ପ୍ରସ୍ତୁତ କରାଯିବ ।
ଅନେକ ସମୟରେ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀମାନେ ଠିକ୍ ଯତ୍ନ ଅଭାବରୁ ସେମାନଙ୍କର କ୍ୟାରିୟର ଉପରେ ପ୍ରଭାବ ପଡ଼ିଥାଏ । ଏପରିକି ରିର୍ପୋଟ ଅନୁଯାୟୀ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟରୁ ୫୫ପ୍ରତିଶତ ପିଲା ଦଶମ ପରୀକ୍ଷାରେ ଉପଯୁକ୍ତ ଯତ୍ନର ଅଭାବରୁ ଖରାପ ପ୍ରଦର୍ଶନ କରିଥାନ୍ତି । ତେଣୁ ରାଜ୍ୟରେ ଏପରି ମେଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ପ୍ରଥମଥର ଏହି ବ୍ୟବସ୍ଥା ହେଉଛି ।